ବ୍ରାହ୍ମଣୀରେ ବଢ଼ିଲା ବନ୍ୟା ଆଶଙ୍କା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ମହାନଦୀ ଓ ସୁବର୍ଣ୍ଣରେଖା ପରେ ବ୍ରାହ୍ମଣୀରେ ହୋଇପାରେ ବନ୍ୟା । ଗୁରୁବାର ରେଙ୍ଗାଲୀ ଜଳ ଭଣ୍ଡାରର ୨ ଗେଟ୍ ଖୋଲିଛି । ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଛି । ଅନୁଗୋଳ ତାଳଚେର ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା କରାଯାଉଛି । ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ ଗୁରୁବାର ଡ୍ୟାମ୍ର ଜଳସ୍ତର ୧୨୨.୬୮ ମିଟର ଯାଏ ପହଞ୍ଚôଥିଲା । ଫଳରେ ଡ୍ୟାମ୍ର ୮ ଓ ୯ ନମ୍ବର ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୬୪୧ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ ଗେଟ୍ ଓ ପାୱାର ଚ୍ୟାନେଲ ମଧ୍ୟ ଦେଇ ୩୫୫୨ ଘନ ମିଟର ବନ୍ୟାଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜଳସ୍ତର ବଢୁଥିବାରୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ନିକଟରେ ମହାନଦୀ ଓ ସୁବର୍ଣ୍ଣରେଖାରେ ସୃଷ୍ଟ ବନ୍ୟା ପାଇଁ ଲୋକଙ୍କ ଚିନ୍ତା ବଢ଼ିଥିବାବେଳେ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି ।
