ବ୍ୟାପକ ହେଉଛି ଟମାଟୋ ଫ୍ଲୁ

ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ବିଶ୍ୱବ୍ୟାପୀ ଟମାଟୋ ଫ୍ଲୁ’କୁ ନେଇ ଏକ ଅଜଣା ଭୟ ବଢ଼ି ବଢ଼ି ଚାଲିଛି । ଭାରତରେ ମଧ୍ୟ ଏହି ଭୂତାଣୁର ଜୋରଦାର ପ୍ରଭାବ ଦେଖିବାକୁ ମିଳିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶର କେରଳ, ତାମିଲନାଡୁ, ଓଡ଼ିଶା ଏବଂ ହରିଆଣା ଭଳି ରାଜ୍ୟରୁ ୧ଠଠରୁ ଊଦ୍ଧ୍ୱର୍ ଟମାଟୋ ଫ୍ଲୁ’ ସଂକ୍ରମଣଜନିତ ମାମଲା ଚିହ୍ନଟ ହୋଇସାରିଛି । ଏଥିମଧ୍ୟରୁ କେବଳ ଓଡ଼ିଶାରେ ୨୬ଟି ମାମଲା (୧-୯ ବର୍ଷ ମଧ୍ୟରେ) ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବା ସହ ରାଜ୍ୟ ସରକାରମାନଙ୍କୁ ସତର୍କ କରାଯାଇଛି । ପ୍ରକାଶ, ହ୍ୟାଣ୍ଡ ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍କୁ ମୁଖ୍ୟତଃ ଟମାଟୋ ଫ୍ଲୁ’ ବୋଲି ବିବେଚନା କରାଯାଉଛି ।
ମେ ୬ରେ କେରଳର କୋଲ୍ଲାମ ଜିଲ୍ଲାରେ ପ୍ରଥମ ଟମାଟୋ ଫ୍ଲୁ’ ରୋଗୀ ଚିହ୍ନଟ ହୋଇଥିଲେ । ପରେ ଜୁଲାଇ ୨୬ ସୁଦ୍ଧା ୮୨ରୁ ଅଧିକ ପିଲା (୫ ବର୍ଷରୁ କମ୍) ଏହି ରୋଗରେ ସଂକ୍ରମିତ ହୋଇଥିବା ବିଭିନ୍ନ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଭୂତାଣୁ ଧୀରେ ଧୀରେ ନିଜ କାୟା ବିସ୍ତାର କରୁଥିବା ବେଳେ ଦେଶର ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସତର୍କ ରହିବାକୁ କେନ୍ଦ୍ର ଦର୍ଶାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେରଳ, ତାମିଲନାଡୁ, ଓଡ଼ିଶା ଏବଂ ହରିଆଣା ଆଦି ରାଜ୍ୟକୁ ବାଦ୍ଦେଲେ ବାକି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରୁ ଏହି ଫ୍ଲୁ’ଜନିତ ମାମଲା ରିପୋର୍ଟ ହୋଇନାହିଁ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଟମାଟୋ ଫ୍ଲୁ’ ଏକ ଏକ ଭୂତାଣୁ ଜନିତ ଚର୍ମ ରୋଗ । ଏହି ରୋଗର ଲକ୍ଷଣରୁ ଏହାର ଏପରି ନାମକରଣ କରାଯାଇଛି । ମୁଖ୍ୟତଃ ୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଭୂତାଣୁ ସଂକ୍ରମିତ ହେବାର
ସମ୍ଭାବନା ସର୍ବାଧିକ ରହୁଥିବା କୁହାଯାଇଛି । ଏହି ଫ୍ଲୁ’ଦ୍ୱାରା ସଂକ୍ରମିତ ପିଲାମାନଙ୍କୁ ଜ୍ୱର, ଦେହରେ ଛୋଟ ଛୋଟ ଫୋଟକା ବାହାରି ପଡ଼ିବା ସହ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଆଦି ଅନୁଭବ ହୋଇଥାଏ । ଏତଦ୍ବ୍ୟତୀତ ଡାଇରିଆ, ଲାଲ୍ ରଙ୍ଗରେ ଦେହ ଫଳିଯିବା, ଥକାପଣ ଅନୁଭବ ହେବା, ବାନ୍ତି ଲାଗିବା ବଦ ହଜମି ଓ ଆଣ୍ଠୁଗଣ୍ଠି ଫୁଲା ଭଳି ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ଏଥିରୁ ବର୍ତ୍ତିବା ପାଇଁ ଘରର ଆସବାବ ପତ୍ର ତଥା ପିଲାମାନେ ବ୍ୟବହାର କରୁଥିବା ସାମଗ୍ରୀ ବା ଚଳାଚଳ କରୁଥିବା ସ୍ଥାନଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ୍ କରିବାକୁ ଗାଇଡଲାଇନ୍ରେ କୁହାଯାଇଛି । ବର୍ତ୍ତମାନ ସମୟ ସୁଦ୍ଧା ଟମାଟୋ ଫ୍ଲୁ’ ପାଇଁ କୌଣସି ଟିକା କିମ୍ବା ଔଷଧ ବାହାରିନଥିବାରୁ କେବଳ ସତର୍କତା ଅବଲମ୍ବନ କରି ଏହାର ସଂକ୍ରମଣକୁ ରୋକାଯାଇପାରିବ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହା ଏକ ନୂଆ ଏନ୍ଫ୍ଲୁଏନ୍ଜା ଭୂତାଣୁ, ଯାହାକି କମ୍ ରୋଗ ପ୍ରତିରୋଧ ଶକ୍ତି କ୍ଷେତ୍ରରେ ଅଧିକ ସକ୍ରିୟ ହୋଇଯାଇଥାଏ । ସୁତରାଂ ପିଲାମାନଙ୍କ ପାଇଁ ଅଧିକ ବିପଦ ଆଶଙ୍କା କରାଯାଉଛି । ପିଲାମାନଙ୍କୁ ଏହି ଭୂତାଣୁ ଠାରୁ ସୁରକ୍ଷା ଦେବା ପାଇଁ କେବଳ ସ୍ୱଚ୍ଛତା, ସାନିଟାଇଜେସନ୍ ପ୍ରକ୍ରିୟା ହିଁ ଯଥେଷ୍ଟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *