ଭୂତଳ ଜଳ ରିଚାର୍ଜ ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ୱର (ତଥ୍ୟ): ଭୂତଳ ଜଳସ୍ତର ରିଚାର୍ଜ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଯେଉଁଥିରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ହେବ । ଏହି ନୂତନ ଯୋଜନାରେ କୃତ୍ରିମ ରିଚାର୍ଜ ଯୋଗୁଁ ଭୂତଳ ଜଳସ୍ତର ବୃଦ୍ଧି ସହିତ ଜଳର ଗୁଣାତ୍ମକମାନ ମଧ୍ୟ ବୃଦ୍ଧି ପାଇବ ।
ବିଶେଷଜ୍ଞଙ୍କ ମତରେ ବିକାଶମୂଳକ ଓ ଉନ୍ନୟନ କାର୍ଯ୍ୟ ଯୋଗୁଁ ଜଳସ୍ତର ହ୍ରାସ ପାଉଛି । ବର୍ଷାଜଳଦ୍ୱାରା ଜଳସ୍ତର ବୃଦ୍ଧି ସମ୍ଭବ ହୋଇପାରୁ ନାହିଁ । ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ୫ବର୍ଷ ପାଇଁ ୪୯.୨୩ କୋଟି ଟଙ୍କାରେ ଯୋଜନା କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି ହୋଇଛି । ଏହି ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦିଆଯିବ । ୬୫ ପ୍ରତିଶତରୁ ଅଧିକ ଭୂତଳ ଜଳ ନିଷ୍କାସିତ ହେଉଥିବା ୩୨ ବ୍ଲକରେ ଏହା କାର୍ଯ୍ୟକାରୀ ହେବ । ୨୪୦୦ ପୋଖରୀ ଓ ଜଳାଶୟରେ ଭୂତଳ ଜଳ ରିଜାର୍ଚ ପ୍ରକଳ୍ପ ସ୍ଥାପନ ହେବ । ପ୍ରଥମ ୪ ବର୍ଷରେ ବର୍ଷକୁ ୪୯୦ଟି କରି ଏଭଳି ପ୍ରକଳ୍ପ ସ୍ଥାପନ ହେବ ଏବଂ ଶେଷ ବର୍ଷ ଅର୍ଥାତ୍‌ ୨୦୨୬-୨୭ରେ ଅବଶିଷ୍ଟ ୪୪୦ ପ୍ରକଳ୍ପ ପ୍ରତିଷ୍ଠା ହେବ ।
ବିଭାଗଦ୍ୱାରା ଦିଆଯାଉଥିବା ଅର୍ଥରେ ପାଣିପଞ୍ଚାୟତଗୁଡିକ ଏହାର ରକ୍ଷଣା ବେକ୍ଷଣ କରିବେ । ନିକଟରେ ବର୍ଷାଜଳ ସଂରକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟ୍‌ ‘ଛତା’ ନାମରେ ଏକ ଗୋଷ୍ଠିଭିତ୍ତିକ ଯୋଜନାକୁ ମଞ୍ଜୁର କରିଛନ୍ତି । ଏହି ଯୋଜନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ୫୨ଟି ବ୍ଲକ ଓ ୨୭ଟି ପୌରାଞ୍ଚଳରେ ୨୯,୫୦୦ ଘରୋଇ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ କାର୍ଯ୍ୟକାରୀ ହେବ । ଏଥିରେ ୨୭୦ କୋଟି ଟଙ୍କା ବ୍ୟୟ ହେବାର ଯୋଜନା ରହିଛି । ଏହି ଯୋଜନାରେ ଯେଉଁମାନେ ନିଜ ଘରର ଛାତ ଉପରେ ବର୍ଷାଜଳ ଅମଳ ପ୍ରକଳ୍ପ କରିବେ ସେମାନଙ୍କୁ ରାଜ୍ୟ ସରକାର ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ସର୍ବାଧିକ ୫୫,୦୦୦ ଟଙ୍କାର ସବସିଡ୍‌ ପ୍ରଦାନ କରିବେ ।
ରାଜ୍ୟରେ ବାର୍ଷିକ ଭୂତଳ ଜଳ ରିଚାର୍ଜ ପରିମାଣ ୧୭.୦୮ ବିଲିୟନ କୁ୍ୟବିକ ମିଟର (ବିସିଏମ) ହୋଇଥିବାବେଳେ ବାର୍ଷିକ ପ୍ରାକୃତିକ ନିଷ୍କାସନ ପରିମାଣ ୧.୩୭ ବିଏସିଏମ । ବର୍ଷକୁ ମାଟିତଳୁ ୧୫.୭୧ ବିସିଏମ୍‌ ଜଳ ନିଷ୍କାସନ କରାଯାଉଛି । ଯାଜପୁର ଏବଂ ନୂଆପଡା ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଭୂତଳଜଳ ନିଷ୍କାସନ ହେଉଥିବାବେଳେ ମାଲକାନଗିରିରେ ଏହା ସବୁଠାରୁ କମ୍‌ ୧୬.୦୫ ପ୍ରତିଶତ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *