ବିପଦ ଟଳୁଛି, ଦୁର୍ଦ୍ଦଶା ବଢ଼ୁଛି

ଭୁବନେଶ୍ୱର, ୨୪ା୮ (ବୁ୍ୟରୋ): ରାଜ୍ୟରେ ବନ୍ୟା ବିପଦ ଧିରେ ଧିରେ ଟଳିବାରେ ଲାଗିଛି । ହେଲେ ନଦୀ ଜଳସ୍ତର ଯେତେ କମୁଛି, ବନ୍ୟା ବିଧ୍ୱସଂ ସେତେ ବଢ଼ୁଥିବା ନଜରକୁ ଆସିଛି । ବହୁ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁ ନଥିବାରୁ ଚର୍ମ ଜନିତ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟର ଶତାଧିକ ଗାଁ ଏବେ ମଧ୍ୟ ଜଳବନ୍ଦୀ ଥିବାବେଳେ ବଢ଼ୀ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି ଘୁର୍ଣ୍ଣିବଳୟ ଓ ଲଘୁଚାପ ଜନିତ ବର୍ଷା । ଅଗଷ୍ଟ ପହିଲାରୁ ରାଜ୍ୟରେ କ୍ରମାଗତ ବର୍ଷା ରେକର୍ଡ ହୋଇଥିବାବେଳେ ବଢ଼ୀ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଞ୍ଚଳରେ ଜରି ପାଲ ଟାଣି ବିପଦସଙ୍କୁଳ ଭାବେ ଲୋକେ ରହୁଛନ୍ତି । ଛୋଟ ଛୋଟ ପିଲାଙ୍କୁ ମଧ୍ୟ ମାଟି ଚଟାଣ ଉପରେ କପଡ଼ା ପକାଇ ଶୁଆଇବାକୁ ପଡୁଛି । ସରୀସୃପ, ଜୀବଜନ୍ତୁ ଭୟ ଥିଲେ ବି ଆଉ କ’ଣ ବା କରିବ ମଣିଷ? ଏମାନଙ୍କ ପାଖରେ ନା ଅଛି କୌଣସି ଉପାୟ ନା ଅନ୍ୟ ରାସ୍ତା । ଏପରି ଅବସ୍ଥାରେ ଖାଇବା ପିଇବା କଥା କିଏ ପଚାରେ ବୋଲି ବିପନ୍ନ ପ୍ରଶ୍ନ କରିଛନ୍ତି । ସରକାରଙ୍କ ପକ୍ଷରୁ ଦିନକୁ ୨ ଓଳି ଖାଲି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଘରର ମହିଳାଙ୍କ ଶୌଚ କରିବାକୁ ଉଚିତ୍ ସ୍ଥାନ ନାହିଁ । ଗତ ୪ ଦିନ ହେବ ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲ୍ଲାରେ ଏହି ସ୍ଥିତି ନଜରକୁ ଆସିଛି ।
ଅନ୍ୟପକ୍ଷେ, ଝାଡ଼ଖଣ୍ଡ ଗାଲୁଡିହ ଡ୍ୟାମ୍ରୁ ଜଳପ୍ରବାହ କମିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଖସୁଛି । ହେଲେ ବାଲେଶ୍ୱରର ତଳି ଅଞ୍ଚଳରେ ବନ୍ୟା କରାଳ ରୂପ ଧରି ବହୁଛି । ୩ ଦିନ ଧରି ବୁଡ଼ିଥିବା ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍ର ୨୫୦ରୁ ଅଧିକ ଗାଁରେ ଏବେ ଦୟନୀୟ ସ୍ଥିତିରେ ରହିଛି । ଚୁଲି ·ଳ ବୁଡ଼ିଥିବାରୁ କେଉଁଠି ଭୋକ ଉପାସରେ ବିପନ୍ନ ତ କେଉଁଠି ରାସ୍ତା ଉପରେ ଛିଡ଼ା ଜରି ପାଲ ତଳେ ଜୀବନ ବିତୁଛି । ବିଷ୍ଣୁପୁରରେ ୩୦ ଫୁଟ୍ର ଘାଇ ପରଠୁ ଜଳବନ୍ଦୀ ଅବସ୍ଥାରେ ଲୋକେ ଅଛନ୍ତି । ଲୋକେ ଉଚ୍ଚା ଜାଗା ଦେଖି ନଦୀ ବନ୍ଧ ଏବଂ ରାସ୍ତାରେ ଆଶ୍ରୟ ନେଇଥିବା ବେଳେ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ପୁରୀ ଅଞ୍ଚଳରେ ସ୍ଥିତି ଏବେ ମଧ୍ୟ ସମ୍ବେଦନଳଶୀଳ ରହିଛି । କଣାସ ଡ଼େଲାଙ୍ଗ ଆଦି ବ୍ଲକର ତଳି ଅଞ୍ଚଳ ଏବେ ମଧ୍ୟ ପାଣି ଘେରରେ ରହିଛି । ବୁଧବାର ବରିଷ୍ଠ ନେତା ମହେଶ୍ୱର ମହାନ୍ତି ବନ୍ୟା ବିପନ୍ନଙ୍କୁ ଭେଟଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *