ମାର୍କେଟ କମ୍ପ୍ଲେକ୍ସ ଦଖଲକୁ ନେଲା ପ୍ରଶାସନ

ଭଣ୍ଡାରିପୋଖରୀ (ଆପ୍ର): ସ୍ଥାନୀୟ ବଜାରରେ ଦକ୍ଷିଣବାଡ ପଞ୍ଚାୟତ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସକୁ ସ୍ଥାନୀୟ ପ୍ରଶାସନ ବୁଧବାର ଦଖଲକୁ ନେଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ତହସିଲଦାର ସରୋଜକାନ୍ତ ନାୟକ ମାଜିଷ୍ଟ୍ରେଟ ଭାବେ ପୁଲିସ ସୁରକ୍ଷା ବଳ ସହ ଉପସ୍ଥିତ ଥିଲେ । ବିଡିଓ ଦେବଦତ୍ତ ଦାଶ, ସରପଞ୍ଚ ବର୍ଷରାଣୀ ଯେନା, ସମିତି ସଭ୍ୟ ବାବୁଚରଣ ଦାସ ପ୍ରମୁଖ ମାର୍କେଟ କମ୍ପ୍ଲେକ୍ସର ବିଭିନ୍ନ ଗୃହର ତାଲା ଭାଙ୍ଗି ଦଖଲକୁ ନେଇଥିଲେ ।
ତେବେ ବ୍ୟବସାୟୀ ପ୍ରଶାନ୍ତ ସେନାପତି, ନିତ୍ୟାନନ୍ଦ ଯେନା, କାହ୍ନୁଚରଣ ବିଶ୍ୱାଳ, ରବିନ୍ଦ୍ର ସେଠୀ, ଅଭୟ ରାଉଳ ପ୍ରମୁଖ ବ୍ୟବସାୟୀ ବିନା ନୋଟିସରେ ତାଲାଭଙ୍ଗାଯିବାକୁ ବିରୋଧ କରିଥିଲେ । ବ୍ଲକ ପକ୍ଷରୁ ୨ ଥର ଡାକବାଜି ଯନ୍ତ୍ର ସହାୟତାରେ ଦଖଲମୁକ୍ତ କରିବାକୁ ସତର୍କ କରାଇ ଦିଆଯାଇଥିଲା ବୋଲି ବିଡିଓ କହିଛନ୍ତି । ଉତ୍ତେଜନା ମଧ୍ୟରେ ତାଲା ଭଙ୍ଗାଯାଇ ସମାଗ୍ରୀଗୁଡିକୁ ପଞ୍ଚାୟତ ପରିସରକୁ ନିଆଯାଇଥିଲା । ପଞ୍ଚାୟତ ପକ୍ଷରୁ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ସିଏଫସି ଏବଂ ଏସଏଫସି ଅର୍ଥ ବ୍ୟୟରେ ଛଅ ବଖରା ବିଶିଷ୍ଟ ଦୋତାଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା । ମାତ୍ର ଅସମ୍ପୁର୍ଣ୍ଣ ଥିବାରୁ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇ ପାରି ନ ଥିଲା ।
ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ଦୋକାନ ଘର ନିର୍ମାଣ କରିଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରିବାକୁ ପ୍ରବର୍ତ୍ତାଯିବା ସହ ନିର୍ମାଣ ସମ୍ପୁର୍ଣ୍ଣ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ଯୋଗାଇ ଦେବାକୁ ପଞ୍ଚାୟତ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ନିର୍ମାଣ ସମ୍ପୁର୍ଣ୍ଣରେ ବିଳମ୍ବ ହେଉଥିବାରୁ ଗୃହ ହରାଇଥିବା ବ୍ୟବସାୟୀମାନେ ନିଜସ୍ୱ ଖର୍ଚ୍ଚରେ ମାର୍କେଟ କମ୍ପ୍ଲେକ୍ସ ଗୃହ ମରାମତି କରି ବ୍ୟବସାୟ ଚଳାଉଥିଲେ । ମାତ୍ର ଗତ ପଞ୍ଚାୟତ ନିର୍ବାଚନ ପରେ ନୂତନ ସରପଞ୍ଚ ମାର୍କେଟ କମ୍ପ୍ଲେକ୍ସ ଜବରଦଖଲ ହୋଇଥିବା ଓ ଏହାକୁ ଉଚ୍ଛେଦ କରିବାକୁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ଲକ ପକ୍ଷରୁ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା । ଅନୁମତି ମିଳିବା ପରେ ଆଜି ଉଚ୍ଛେଦ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *