ବସ୍ତି ଉଠିଯିବାକୁ ନେଇ ତାତିଲେ ବସ୍ତି ବାସିନ୍ଦା
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ମୁ୍ୟନିସିପାଲିଟିର ୮ ନମ୍ବର ୱାର୍ଡ ମହିଷାପାଟ ସ୍ଥିତ ରେଙ୍ଗାଳୀ ଅଫିସ ନିକଟରେ ଗଢି ଉଠିଥିବା ବସ୍ତି ବାସିନ୍ଦାଙ୍କୁ ଉଠିଯିବା ପାଇଁ ମୁ୍ୟନିସିପାଲିଟି ତରଫରୁ ଗତ ସୋମବାର ନିଦେ୍ର୍ଦଶ ହୋଇଥିଲା । ଏହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ବିରୋଧ ଭାବ ଉଙ୍କି ମାରିଲାଣି । ଯାହାକୁ ନେଇ ବୁଧବାର ଗଢି ଉଠିଥିବା ବସ୍ତି ଅଞ୍ଚଳର ୫୦ରୁ ଅଧିକ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । ସେମାନଙ୍କ ଅଭିଯୋଗ ଯେ ପ୍ରତ୍ୟେକ ଦିନ ମଜୁରୀ କରି ସେମାନେ ଚଳୁଥିବା ବେଳେ ସେଠାରେ ଆବାସ ଯୋଜନା ମାଧ୍ୟମରେ ମଧ୍ୟ କଂକ୍ରିଟ ରାସ୍ତା, କମୁ୍ୟନିଟି ସେଣ୍ଟର, ପିଇବାପାଣି ନିମନ୍ତେ ନଳକୂପ, ବିଦୁ୍ୟତ ଯୋଜନା ଆଦି ସରକାରୀ ଯୋଜନାରେ ବସ୍ତିଟି ନିର୍ମାଣ କରାଯାଇଛି । ମାତ୍ର ୫୦୦ରୁ ଅଧିକ ଜନସଂଖ୍ୟା ରହିଥିବା ବେଳେ ୧୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ସେମାନଙ୍କୁ ଉଚ୍ଛେଦ କଲେ ପରିବାର କେଉଁଠି ଯାଇ ରହିବେ ବୋଲି ସେମାନେ ଅଭିଯୋଗ ଉଠାଇଛନ୍ତି । ଯାହାକୁ ନେଇ ୮ ନମ୍ବର ୱାର୍ଡର କାଉନ୍ସିଲରଙ୍କ ମାଧ୍ୟମରେ ପୌର ଅଧ୍ୟକ୍ଷାଙ୍କୁ ଅଭିଯୋଗ ଦିଆଯାଇଥିବା ଜଣାଯାଇଛି । ଏପଟେ ମୁ୍ୟନିସିପାଲିଟି ଯନ୍ତ୍ରୀଙ୍କ କହିବା ଅନୁଯାୟୀ ଆବାସ ଯୋଜନା ମାଧ୍ୟମରେ ଯେଉଁମାନେ ରହିବା କଥା ସେମାନଙ୍କୁ ଘର ପ୍ରଦାନ କରାଯାଇଛି । କିଛି ବ୍ୟକ୍ତିବିଶେଷ ଦୀର୍ଘଦିନ ହେବ ଏନ୍କ୍ଲୋଜମେଣ୍ଟ କରି ନିଜର ଘର ତିଆରି କରି ରହି ଆସିଛନ୍ତି । ସେମାନଙ୍କୁ ସେହି ସରକାରୀ ଜାଗାରୁ ଉଚ୍ଛେଦ ପାଇଁ କୁହାଯାଇଛି । ଆବାସ ଯୋଜନାରେ ତିଆରି ହୋଇଥିବା ବସ୍ତି ସହିତ ଏମାନଙ୍କର କୌଣସି ସମ୍ପର୍କ ନଥିବା ସେ ପ୍ରକାଶ କରିଥିଲେ ।