ମୋ ପୁଅକୁ ହତ୍ୟା କରାଯାଇଛି
ଜେଲ୍ରେ ବିଶ୍ୱନାଥ ଆତ୍ମହତ୍ୟା ଘଟଣା
ପୁରୀ(ବୁ୍ୟରୋ): ଜିଲ୍ଲା ଜେଲର ଗାଧୁଆ ଘରେ ବିଚାରାଧୀନ କଏଦୀ ବିଶ୍ୱନାଥ ବାରିକ ଆତ୍ମହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ତାଙ୍କ ମା’ । ଏହା ପୁଅର ଆତ୍ମହତ୍ୟା ନୁହେଁ ତାକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାରେ ନ୍ୟାୟଲାଗି ବୁଧବାର ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମା’ଙ୍କ ସହ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଶିଶୁପୁରର ମାଗି ବାରିକଙ୍କ ପୁଅ ବିଶ୍ୱନାଥ ସ୍ଥାନୀୟ ଜଗଦଳପୁରରେ ଜଣେ ଯୁବତୀଙ୍କୁ ପ୍ରେମବିବାହ କରିଥିଲେ । ହେଲେ ଏନେଇ ଝିଅଘର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ବିଶ୍ୱନାଥ ତାଙ୍କ ଝିଅକୁ ଫସାଇ ବିବାହ କରିଛି । ଅଭିଯୋଗ ହେବାର ୭ମାସ ପରେ ପୁଲିସ ବିଶ୍ୱନାଥକୁ କୋର୍ଟ ଚାଲାଣ କରିଥିଲା । ଫଳରେ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲା । କିନ୍ତୁ ଗତ ୧୨ରେ ସେ ଜେଲ ପରିସରରେ ଥିବା ଗାଧୁଆ ଘରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲା ।
ଏନେଇ ପୁଲିସ ବା ଜେଲ ପକ୍ଷରୁ ବିଶ୍ୱନାଥଙ୍କ ମା’ ମାଗିଙ୍କୁ କୌଣସି ଖବର ଦିଆଯାଇନଥିଲା । ସେ ବାହାର ଲୋକଙ୍କଠାରୁ ଶୁଣି ମେଡିକାଲରେ ପହଞ୍ଚି ତାଙ୍କ ପୁଅର ଶବ ବ୍ୟବଚ୍ଛେଦଗୃହରେ ରହିଛି । ପୁଅର ଆତ୍ମହତ୍ୟାକୁ ସେ ଗ୍ରହଣ କରିପାରି ନଥିବା ସହ ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ନ୍ୟାୟ ନପାଇ ଏବେ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।