ଚିନ୍ତା ବଢ଼ାଉଛି ଫାଟ
ଭୁବନେଶ୍ୱର (ବୁ୍ୟରୋ): ହୀରାକୁଦ ଡ୍ୟାମ୍ ବିଶ୍ୱର ସବୁଠାରୁ ବଡ ମାଟିବନ୍ଧ । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ୬୦ ଦଶକରେ ତିଆରି ହୋଇଥିବା ଏହି ଡ୍ୟାମର ସ୍ଥିତି ଏବେ ଶୋଚନୀୟ ହେବାରେ ଲାଗିଛି । ଅପରେସନ ଗ୍ୟାଲେରି, ଫାଉଣ୍ଡେସନ ଗ୍ୟାଲେରିରେ ଫାଟ ସୃଷ୍ଟି ହୋଇଛି । ସେହିପରି ଉଭୟ ବାମ ଓ ଦକ୍ଷିଣ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ମଧ୍ୟ ଫାଟ ଦେଖାଯାଉଛି । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ହୀରାକୁଦ ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀ ଚିଠି ଲେଖିଛନ୍ତିି ।
ସୂଚନାଥାଉ କି, ଡ୍ୟାମ୍ ସୁରକ୍ଷା ନେଇ ସେଫଟି ଚିଫ୍ ଇଞ୍ଜିନିୟର ହୀରାକୁଦ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟଯନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ସ୍ପିଲ୍ୱେରେ ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ନେଇ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି । ପୂର୍ବରୁ ହୀରାକୁଦ ସ୍ପିଲ୍ୱେରେ ଫାଟ ଥିବାବେଳେ ନିକଟରେ ଡ୍ୟାମ୍ରେ ଆଉ କିଛି କ୍ରାକ୍ ନଜରକୁ ଆସିଛି । ଏବେ ଏହି ବିଷୟ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେଣୁ ହୀରାକୁଦ ଡ୍ୟାମ ସୁରକ୍ଷାକୁ ନେଇ ମହାନଦୀ ଅବବାହିକା ଦାୟିତ୍ୱରେ ଥିବା ମୁଖ୍ୟ ଇଞ୍ଜିନିୟରଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ଡ୍ୟାମ୍ ସେଫର୍ଟି ଚିଫ୍ ଇଞ୍ଜିନିୟର । ଦୀର୍ଘ ୭ ଦଶନ୍ଦି ଧରି ହୀରାକୁଦ ଡ୍ୟାମ ଓଡିଶାର ସଙ୍କଟମୋଚକ ସାଜିଆସିଛି । ଆଉ ଏବେ ଡ୍ୟାମ ଧୀରେ ଧୀରେ ଦୁର୍ବଳ ହେଉଛି । କିନ୍ତୁ ବାରମ୍ବାର ବନ୍ୟା ଆସୁଛି, ଜଳସ୍ତର ବଢୁଛି, ହେଲେ ସେହି ଅନୁସାରେ ରକ୍ଷଣାବେକ୍ଷଣ ହେଉନି । ତେଣୁ ଏଥିପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି ।
୨୦୨୦ରେ ଡ୍ୟାମ୍ ସେଫ୍ଟି ରିଭୁ୍ୟ ପ୍ୟାନେଲ (ଡିଏସ୍ଆରପି) ଟିମ୍ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପରେ ଯାଞ୍ଚ କରିଥିଲେ । ଏହି ଟିମ୍ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲକୁ ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ୧୯୯୯ରେ ଶେଷ ଥର ପାଇଁ ସର୍ଭେ କରାଯାଇଥିଲା । କିନ୍ତୁ ତା’ପରଠୁ ଆଉ ସର୍ଭେ କରାଯାଇନାହିଁ । ଏହି ସ୍ଥିତିରେ ଡ୍ୟାମ ପ୍ରତି ଆଦୌ ବିପଦ ନାହିଁ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ତେବେ ଏସିଆ ମହାଦେଶର ଅନ୍ୟତମ ବୃହତ ଜଳଭଣ୍ଡାର ବିପଦ ମୁହଁକୁ ଠେଲି ହୋଇଯାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।