ଆସ୍ଥା ଜିତିଲେ ନୀତୀଶ

ପାଟନା (ଏଜେନ୍ସି): ବିହାରରେ ଜାରି ରହିଥିବା ରାଜନୈତିକ ଛକାପଞ୍ଝା ମଧ୍ୟରେ ବୁଧବାର ଦିନ ନୀତୀଶ-ତେଜସ୍ୱୀଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି । ଅନୁଷ୍ଠିତ ଭୋଟିଂ ପ୍ରକ୍ରିୟାରେ ଶାସକ ଦଳକୁ ୧୬ଠ ବିଧାୟକଙ୍କ ସମର୍ଥନ ମିଳିଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୨୨ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ମେଣ୍ଟ ସରକାରକୁ ମିଳିଥିବା ୧୬ଠ ଭୋଟ୍ ମେଣ୍ଟକୁ ସୁଦୃଢ଼ କରିବ ବୋଲି କୁହାଯାଉଛି ।
ଅନ୍ୟପକ୍ଷେ ଭୋଟିଂ ପ୍ରକ୍ରିୟାକୁ ବିରୋଧ କରି ବିରୋଧୀ ବିଜେପିର ସମସ୍ତ ବିଧାୟକ ଏହି ସମୟରେ ଗୃହଛାଡି ବାହାରକୁ ଚାଲିଯାଇଥିବା ସତ୍ତ୍ୱେ ଶାସକ ଦଳର ବିଧାୟକମାନେ ଭୋଟିଂ ପ୍ରକ୍ରିୟା ପାଇଁ ଦାବି କରିଥିଲେ । ବିଜେପିର କହିବା କଥା ଥିଲା ଯେ, ଯଦି ବାଚନିକ ଭୋଟ୍ ମାଧ୍ୟମରେ ବହୁମତ ହାସଲ ହୋଇସାରିଛି ତେବେ ଭୋଟିଂ ପ୍ରକ୍ରିୟାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଶାସକ ଦଳର ଦାବି ମୁତାବକ ବୁଧବାର ଦିନ ଭୋଟିଂ ପ୍ର୍ରକିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ଅସାଉଦ୍ଦିନ୍ ଓୱୈସୀଙ୍କ ଏଆଇଏମ୍ଆଇଏମ୍ ମଧ୍ୟ ମେଣ୍ଟ ସରକାରକୁ ସମର୍ଥନ ଦେଇଥିବା ଜାଣିବାକୁ ମିଳିଛି ।
ଭୋଟିଂ ପ୍ରକ୍ରିୟା ପୂର୍ବରୁ ବିଧାନସଭାରେ ବ୍ୟାପକ ହଙ୍ଗାମା, ହୋହଲ୍ଲା ଦେଖିବାକୁ ମିଳିଥିଲା । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ (ବିଜେପି), ମୁଖ୍ୟମନ୍ତ୍ରୀ ତଥା ଜେଡିୟୁୂ ସୁପ୍ରିମୋ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ଏମିତି କେହି ନାହାନ୍ତି ଯାହାକୁ ନୀତୀଶ ଠକି ନାହାନ୍ତି । ଏହାର ଜବାବରେ ନୀତୀଶ କହିଥିଲେ ଯେ, ତାଙ୍କ ସହ ୭ ରାଜନୈତିକ ଦଳ ରହିଛନ୍ତି । ଏଆଇଏମ୍ଆଇଏମ୍ ମଧ୍ୟ ୮ମ ଦଳ ଭାବେ ତାଙ୍କୁ ସମର୍ଥନ କରୁଛି । କେବଳ ବିଜେପି ଏକାକି ବିପକ୍ଷ ଦଳ ଭାବେ ରହିଛି । ଏଥିରୁ କିଏ ଠକ ସ୍ୱତଃ ସ୍ପଷ୍ଟ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ ଉଭୟ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବ ମିଳିତ ଭାବେ ବିଜେପିକୁ ଟାର୍ଗେଟ୍ କରିଥିଲେ । ନୀତିଶ ବିଜେପି, ଆଞ୍ଚଳିକ ଦଳଙ୍କୁ ଶେଷ କରିଦେବାକୁ ଚାହୁଁଥିବା ପ୍ରସଙ୍ଗ ଉଠାଇଥିଲେ । ସେହିପରି ଆଞ୍ଚଳିକ ତଥା ଜାତୀୟସ୍ତରରେ ବିଜେପିର ଦୋମୁହାଁ ନୀତି ସମ୍ପର୍କରେ ଉଲ୍ଲେଖ କରି ବିଜେପିକୁ ସମାଲୋଚନା କରିଥିବା ବେଳେ ତେଜସ୍ୱୀ ସିବିଆଇ, ଇଡି, ଆୟକର ବିଭାଗ ଭଳି ୩/୪ ତଦନ୍ତ ଏଜେନ୍ସିଙ୍କୁ ନିଜ ଜ୍ୱାଇଁ କରି ବିଜେପି ରଖିଥିବା ଏବଂ ଆବଶ୍ୟକ ସ୍ଥଳେ ଏମାନଙ୍କ ଉପଯୋଗ କରୁଥିବା କହିଥିଲେ ।
ବୁଧବାର ବିଧାନସଭାରେ ଆସ୍ଥା ଭୋଟ୍ ଅନୁଷ୍ଠିତ ହେବା ପୂର୍ବରୁ ବାଚସ୍ପତି ପଦରୁ ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି । ବିଜେପି-ଜେଡ଼ିୟୁ ସମ୍ପର୍କ ଚ୍ଛିନ୍ନ ହେବା ପରେ ପରେ ଯେତେବେଳେ ବିଜେପି ବିଧାୟକମାନେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଥିଲେ ସେତେବେଳେ ବିଜୟ କୁମାର ବାଚସ୍ପତି ପଦରୁ ଇସ୍ତଫା ଦେବେନି ବୋଲି କହିଥିଲେ । ଏହାପରେ ମେଣ୍ଟ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଆଗତ କରାଯିବା ନେଇ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଆସ୍ଥା ଭୋଟ୍ ପରୀକ୍ଷା ପାଇଁ ଡକାଯାଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ହିଁ ବିଜୟ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପୂର୍ବରୁ ସେ ୧୯ ମିନିଟ୍ ଧରି ଭାଷଣ ଦେଇଥିଲେ । ନିଜ ଭାଷଣରେ ସେ କହିଥିଲେ ଯେ, ଯେଉଁଦିନ ବିଜେପି-ଜେଡିୟୁ ମେଣ୍ଟ ଭଙ୍ଗ ହେଲା ସେ ଚାହିଁଥିଲେ ସେହିଦିନ ହିଁ ଇସ୍ତଫା ଦେଇପାରିଥାନ୍ତେ । କିନ୍ତୁ ସେ ନିଜ କଥା ବିଧାନସଭାରେ ରଖିବାକୁ ଚାହୁଁଥିଲେ । ଏଥିପାଇଁ ସେ ଆଜିର ଦିନକୁ ଅପେକ୍ଷା କରି ଇସ୍ତଫା ଦେଇନଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *