ପ୍ରତି ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ
ପ୍ରଧାନମନ୍ତ୍ରୀଙ୍କ ଘୋଷଣା
ଚଣ୍ଡୀଗଡ଼, ୨୪ା୮: ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ କଲେଜ ସ୍ଥାପନ କରାଯିବ । କେନ୍ଦ୍ର ସରକାର ଏହି ଯୋଜନା ଉପରେ କାମ କରୁଛନ୍ତି । ବୁଧବାର ମୋହାଲି ଠାରେ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଅତି ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଶନ୍ ମୋଡ଼ରେ କାମ ଚାଲିଛି । ଦେଶକୁ ବିକଶିତ କରାଇବାକୁ ହେଲେ ସ୍ୱାସ୍ଥ୍ୟ ସେବାକୁ ବିକଶିତ କରାଇବା ଜରୁରୀ । ଏକଦା ଦେଶରେ ମାତ୍ର ସାତଟି ଏମ୍ସ ଥିଲା । ଏହାର ସଂଖ୍ୟା ବଢ଼ି ୨୧ ହୋଇଛି । ୨୦୧୪ ପୂର୍ବରୁ ଦେଶରେ ମେଡ଼ିକାଲ କଲେଜ ସଂଖ୍ୟା ଥିଲା ୪୦୦ରୁ କମ୍ । ଗତ ଆଠ ବର୍ଷରେ ୨୦୦ରୁ ଅଧିକ ମେଡ଼ିକାଲ କଲେଜ ସ୍ଥାପନ କରାଯାଇଛି । ମେଡ଼ିକାଲ ସିଟ୍ ସଂଖ୍ୟା ବଢ଼ିଛି । ଆୟୁଷମାନ୍ ଭାରତ ଯୋଜନାରେ ସାଢ଼େ ୩ କୋଟି ଲୋକ ଚିକିତ୍ସା ସୁବିଧା ପାଇଛନ୍ତି । ଗତ ଆଠ ବର୍ଷରେ ଏ କ୍ଷେତ୍ରରେ ଯାହା ସବୁ ହୋଇଛି ପୂର୍ବବର୍ତ୍ତୀ ୭୦ ବର୍ଷରେ ହୋଇ ନ ଥିଲା ।
ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଦ୍ୱାରା ୭ଟି ରାଜ୍ୟ ଯଥା ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ଅଧିବାସୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇ ପାରିବେ ।
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଥିଲା । ବୁଧବାର ପ୍ରଧାନମନ୍ତ୍ରୀ ଫରିଦାବାଦ ଠାରେ ମା ଅମୃତା ଆନନ୍ଦମୟୀ ମଠ ଦ୍ୱାରା ନିର୍ମିତ ଦେଶର ବୃହତ୍ତମ ତଥା ଏସିଆ ମହାଦେଶର ସର୍ବାଧୁନିକ ଘରୋଇ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି ।