ଚାକିରି ନିୟମିତ ଦାବିରେ ଦୁଗ୍ଧ ଶୀତଳୀକରଣ କର୍ମଚାରୀଙ୍କ ଆନେ୍ଦାଳନ

ରଘୁନାଥପୁର (ଆପ୍ର): ନିୟମିତ ଚାକିରି ଓ ଅନ୍ୟାନ୍ୟ ଦାବି ନେଇ ରଘୁନାଥପୁର ବ୍ଲକ୍ ନୂଆପଡା ସ୍ଥିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଦୈନିକ ମଜୁରିଧାରୀ ଓ କାଜୁଆଲ କର୍ମଚାରୀମାନେ ପ୍ଲାଣ୍ଟ ସମ୍ମୁଖରେ ଆନେ୍ଦାଳନ କରିଥିଲେ । ସୋମବାର ସକାଳୁ କର୍ମଚାରୀମାନେ ଆନେ୍ଦାଳନ କରିଥିବା ବେଳେ ଶାଖା ପରିଚାଳକ ଲଳିତ କୁମାର ପାତ୍ର ପହଞ୍ଚି ଆସନ୍ତା ନଭେମ୍ବର ସୁଧା ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ସ୍ଥଗିତ ହୋଇଥିଲା ।
ପ୍ରକାଶ ଯେ, ଦୈନିକ ମଜୁରିପ୍ରାପ୍ତ ଓ କାଜୁଆଲ କର୍ମଚାରୀମାନେ ପ୍ଲାଣ୍ଟରେ ୧୫ ରୁ ୨୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ ବି ସର୍ତ୍ତାବଳୀ ଅନୁଯାଇ କଟକ ଦୁଗ୍ଧସଂଘ ସେମାନଙ୍କୁ ନିୟମିତ କରୁନାହାନ୍ତି । ଏ ସମ୍ପର୍କରେ ଦୁଗ୍ଧସଂଘର ସାଧାରଣ ପରିଚାଳକ, ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଶାଖା ପରିଚାଳକ ଓ ଅନ୍ୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏହାସହ ଅନ୍ୟାନ୍ୟ ଦାବି ସମ୍ପର୍କରେ ଅବଗତ କରାଯାଉଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ପୂର୍ବ ସୂଚନା ମୁତାବକ କର୍ମଚାରୀମାନେ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇଥିଲେ ବୋଲି ତ୍ରିଲୋଚନ ସ୍ୱାଇଁ ଓ ନିଗମାନନ୍ଦ ନାୟକ କହିଛନ୍ତି । କଟକ ଜିଲ୍ଲା ଦୁଗ୍ଧସଂଘ ମ୍ୟାନେଜର ଏଚ୍ଆର (ମାନବସମ୍ବଳ ମୁଖ୍ୟ) ସୌମ୍ୟରଞ୍ଜନ ରାୟ ପ୍ଲାଣ୍ଟରେ ପହଞ୍ଚି ସ୍ଥାନୀୟ ଜନପ୍ରତିନିଧିଙ୍କ ସହ କର୍ମଚାରୀଙ୍କ ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କର୍ମଚାରୀ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ବିଦ୍ୟାଧରପୁର ସରପଞ୍ଚଙ୍କ ପକ୍ଷରୁ ରହିମ ଖାଁ ଓ ସମିତିସଭ୍ୟାଙ୍କ ସ୍ୱାମୀ ଅଜୟ ସାମଲ, ଛପଡା ସରପଞ୍ଚଙ୍କ ପକ୍ଷରୁ ନିରାକାର ଖୁଣ୍ଟିଆଙ୍କ ସମେତ ବିଦ୍ୟାଧର ନାୟକ, ବିଜୟ କୁମାର ସାହୁ, ଦିଲୀପ କୁମାର ମହାନ୍ତି, ଅନୁପମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *