ଜନତାଙ୍କ ଅର୍ଥଶ୍ରାଦ୍ଧ ପ୍ରତି ଖାତିର ନାହିଁ
ସହରର ନାମ ପରିବର୍ତ୍ତନ ପଛରେ ରାଜନୈତିକ ଏଜେଣ୍ଡା
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ସମ୍ବିଧାନ ତଥା ଆଇନ୍ ଅନୁସାରେ ଯଦି କୌଣସି ସହରର ନାମ ପରିବର୍ତ୍ତନ କରାଯାଏ, ତେବେ ସେଥିପାଇଁ ସରକାରଙ୍କୁ ଜନସାଧାରଣଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ । ଅର୍ଥାତ୍ କୌଣସି ସହରର ନାମ ପରିବର୍ତ୍ତନ କରାଯିବ କି ନାହିଁ ସେସମ୍ପର୍କରେ ରାଜ୍ୟ ସରକାର ଏକ ଜନମତ ସର୍ଭେ କରାଇବେ ଏବଂ ଜନତାଙ୍କ ନିଷ୍ପତ୍ତି ଅନୁୂସାରେ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିବା କଥା । କିନ୍ତୁ ସାଧାରଣତଃ ଏସବୁ ନିୟମ ତଥା ଆଇନ୍ର ପାଳନ କରାଯାଉନାହିଁ । ସରକାର ନିଜ ମନମୁତାବକ ସହରର ନାମ ପରିବର୍ତ୍ତନ କରିଦେଉଛନ୍ତି । ବମ୍ବେରୁ ମୁମ୍ବାଇ, ମଦ୍ରାସ୍ରୁ ଚେନ୍ନାଇ, ତଥା ଆହ୍ଲାବାଦ୍ରୁ ପ୍ରୟାଗରାଜ ଭଳି ଦେଶର ଅନେକ ସହରର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଏସବୁ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେଇଛନ୍ତି । ତେବେ ଏହି ପ୍ରକ୍ରିୟାର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟି ଦେଲେ ଏହା ଦ୍ୱାରା ଜନସାଧାରଣଙ୍କ ଉପରେ ବଢ଼ୁଥିବା ଆର୍ଥିକ ଚାପର ଏକ ସ୍ପଷ୍ଟ ପ୍ରତିବିମ୍ବ ଦେଖିବାକୁ ମିଳେ ।
ପ୍ରାପ୍ତ ସୂଚନାନୁସାରେ ଏକ ସହରର ନାମ ପରିବର୍ତ୍ତନ କରାଯିବା ପାଇଁ ହାରାହାରି ୨ଠଠରୁ ୩ଠଠ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଯଦି ସହରର ଆକାର ବଡ଼ ହୋଇଥାଏ ତେବେ ଏହି ନାମକରଣ ପ୍ରକ୍ରିୟା ପାଇଁ ପ୍ରାୟ ୧ଠଠଠ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । କାଗଜପତ୍ର ଠାରୁ ଆରମ୍ଭ କରି ନାମଫଳକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ କରିବାକୁ ପଡ଼ୁଥିବାରୁ ଏହି ଅର୍ଥ ଖର୍ଚ୍ଚ ହେବା ସ୍ୱାଭାବିକ୍ । ତେବେ ଏହି ଅର୍ଥ କାହାର? ଏହି ଅର୍ଥ ଜନସାଧାରଣଙ୍କର ନା ସରକାରଙ୍କର? ପ୍ରଥମେ ପ୍ରଥମେ ବ୍ରିଟିଶ ସରକାର ସମୟରେ ସହରର କରାଯାଇଥିବା ନାମକରଣକୁ ସ୍ୱାଧୀନ ଭାରତରେ ପରିବର୍ତ୍ତନ କରାଯିବାର ପ୍ରୟାସ କେବଳ ଇଂରାଜୀ ଭାଷାଗତ ତ୍ରୁଟିକୁ ସୁଧାରିବା ପାଇଁ କରାଯାଉଥିଲା । କିନ୍ତୁ ଏବେ ଧର୍ମ ସମ୍ପ୍ରଦାୟ ଆଳରେ ମଧ୍ୟ ସହରର ପୂର୍ବ ନାମକୁ ବଦଳାଇଦିଆଯାଉଛି । ସିଧାସଳଖ କହିଲେ ରାଜନୈତିକ ଦଳଗୁଡ଼ିକ ନିଜ ରାଜନୈତିକ ଏଜେଣ୍ଡାକୁ ସାକାର କରିବା ପାଇଁ ଏସବୁ କରୁଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ଦେଶ ସ୍ୱାଧୀନ ହେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ୨୧ ରାଜ୍ୟର ପ୍ରାୟ ୨୪୪ ସ୍ଥାନର ନାମ ପରିବର୍ତ୍ତନ କରାଯାଇସାରିଛି । ସର୍ବାଧିକ ସହର ତଥା ସ୍ଥାନର ନାମ ପରିବର୍ତ୍ତନ କରିବା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । ସ୍ୱାଧୀନ ଭାରତର ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ବର୍ତ୍ତମାନ ସୁଦ୍ଧା ୭୬ଟି ସ୍ଥାନର ନାମ ପରିବର୍ତ୍ତନ କରିସାରିଛି । ସେହିପରି ତାମିଲନାଡୁ ୩୧, କେରଳ ୨୬, ମହାରାଷ୍ଟ୍ର ୧୮, କର୍ଣ୍ଣାଟକ ୧୪, ମଧ୍ୟପ୍ରଦେଶ ୧୩, ଗୁଜରାଟ ୧୨, ପଶ୍ଚିମବଙ୍ଗ ୯, ଉତ୍ତରପ୍ରଦେଶ ୮, ତେଲେଙ୍ଗାନା ୮, ହରିଆଣା ୬, ପଞ୍ଜାବ ୪, ରାଜସ୍ଥାନ ୪, ଆସାମ ୩, ଗୋଆ ୩, ଓଡ଼ିଶା ୨, ପୁୂଡୁଚେରୀ ୨, ହିମାଚଳପ୍ରଦେଶ ୨, ଛତିଶଗଡ଼ ୧, ମିଜୋରାମ ୧, ନାଗାଲାଣ୍ଡ ୧ ଲେଖାଏ ସହରର ନାମ ପରିବର୍ତ୍ତନ କରିସାରିଛନ୍ତି ।
ସୂଚନାଯୋଗ୍ୟ, ସହରର ନାମ ପରିବର୍ତ୍ତନ କରିବାର ଅଧିକାର ରାଜ୍ୟ କ୍ୟାବିନେଟ୍ ନିକଟରେ ରହିଛି । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଉକ୍ତ ସହରର ଅଧିବାସୀଙ୍କ ମତାମତ ନେବାକୁ ପଡିଥାଏ । ସେହିପରି ଯଦି କୌଣସି ରାଜ୍ୟ ସରକାର ସିଧାସଳଖ ରାଜ୍ୟର ନାମକୁ ହିଁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସମ୍ବିଧାନ ଧାରା-୩ ଅନୁଯାୟୀ ଏହି ପ୍ରକ୍ରିୟାକୁ ମଧ୍ୟ କାର୍ଯ୍ୟକାରୀ କରିପାରିବେ । ଏବେବି ୟୁପିର ଆଉ ୧୨ ସହର ନାମ ପରିବର୍ତ୍ତନ ହେବା ଅପେକ୍ଷାରେ ରହିଥିବା ସୂଚନା ମିଳିଛି ।