ବ୍ୟାପକ ପବ୍ଲିକ୍ ଡିବେଟ୍ ଜରୁରି

ଫ୍ରିବିଜ୍ ମାନଦଣ୍ଡ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ
ବୁଧବାର ପୁନଃ ଶୁଣାଣି, ତୀବ୍ର ହେଉଛି ବିଜେପି-ଆପ୍ ବାକ୍ୟୁଦ୍ଧ
ନୂଆଦିଲ୍ଲୀ (ଏଜେନ୍ସି): ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ପ୍ରତିଶ୍ରୁତି (ଫ୍ରିବିଜ୍)କୁ ନେଇ ଏବେ ବି ବିବାଦ ଲାଗି ରହିଛି । ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଦୀର୍ଘ ୪୫ମିନିଟ୍ ଧରି ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ଅର୍ଥାତ୍ ୨୪ ଅଗଷ୍ଟରେ ହେବ ବୋଲି ତାରିଖ ନିର୍ଘଣ୍ଟ କରିଛନ୍ତି । ତେବେ ଆଜିର ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହି ମାମଲାକୁ ଏକ ବୃହତ୍ ଖଣ୍ଡପୀଠ ନିକଟକୁ ପଠାଯିବା ନେଇ ମଧ୍ୟ ସଂକେତ ଦେଇଛନ୍ତି ।
ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ପକ୍ଷରୁ କରାଯାଉଥିବା ମାଗଣା ଘୋଷଣା ତଥା ପ୍ରତିଶ୍ରୁତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଜାରି ରଖିଛନ୍ତି । ତେବେ ମଙ୍ଗଳବାର ଶୁଣାଣି କାଳରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନ୍ଭି ରମନ୍ନା, ଆବେଦନକାରୀଙ୍କ ପକ୍ଷ ରଖୁଥିବା ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି କୌଣସି ନେତା ବା ଦଳ ନିର୍ବାଚନରେ ବିଜୟୀ ହେଲେ ଭୋଟରମାନଙ୍କୁ ମାଗଣାରେ ସିଙ୍ଗାପୁର ପଠାଇବ ବୋଲି ପ୍ରତିଶ୍ରୁତି ଦିଏ ତେବେ ଏହାକୁ ନିର୍ବାଚନ ଆୟୋଗ କିପରି ରୋକିପାରିବ? ସୁପ୍ରିମକୋର୍ଟ କହିଛନ୍ତି, ସୁସ୍ଥ ସମାଜ ପାଇଁ ‘ଫି୍ରବିଜ୍’ ଏବଂ ଏହାର ମାନଦଣ୍ଡ ସମ୍ପର୍କରେ ବ୍ୟାପକ ଜନତା ତର୍କ ହେବାର ଆବଶ୍ୟକତା ରହିଛି । ଫ୍ରିବିଜ୍ର ଆବଶ୍ୟକତା ସମ୍ପର୍କରେ ଭୋଟରଙ୍କ ମତାମତ ଗ୍ରହଣଯୋଗ୍ୟ ।
ମଙ୍ଗଳବାର ଶୁଣାଣି କାଳରେ କପିଲ ସିବଲ୍ ନ୍ୟାୟ ମିତ୍ର ଭାବେ ନିଜ ଯୁକ୍ତି ଖଣ୍ଡପୀଠଙ୍କ ସମ୍ମୁଖରେ ରଖିଥିଲେ । ସେହିପରି ଅଭିଷେକ ମନୁ ସିଂଘଭି ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବଂ ବିକାଶ ସିଂହ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ । ସିଜେଆଇଙ୍କ ଖଣ୍ଡପୀଠରେ ଜଷ୍ଟିସ୍ କୃଷ୍ଣ ମୁରାରି ଏବଂ ଜଷ୍ଟିସ୍ ହିମା କୋହଲି ପ୍ରମୁଖ ସାମିଲ ଥିଲେ ।
ପ୍ରକାଶ, କେନ୍ଦ୍ର ସରକାର ଫ୍ରିବିଜ୍ ଉପରେ ଲଗାମ୍ ଲଗାଇବାକୁ ବରାବର ରାଜ୍ୟ ସମୂହଙ୍କୁ ଅପିଲ୍ କରିବାରେ ଲାଗିଛି । ଅନ୍ୟପକ୍ଷେ ଦିଲ୍ଲୀରେ କ୍ଷମତାସୀନ ଆପ୍, ତାମିଲନାଡୁରେ ଶାସକ ଦଳ ଡିଏମ୍କେ ଏବଂ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସ୍ଆର୍ କଂଗ୍ରେସଙ୍କ ଭଳି ଦଳ ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଏପ୍ରକାର ନୀତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି । ମୁଖ୍ୟତଃ କେଜରିୱାଲଙ୍କ ନିର୍ବାଚନୀ ଘୋଷଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମେ ଫ୍ରିବିଜ୍ ପ୍ରସଙ୍ଗ ଉଠାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗ ଉପରେ ଏକ ଭାଷଣରେ କହିସାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ମାଗଣା ପ୍ରତିଶ୍ରୁତି ଦେଉଥିବା ଦଳ ବହୁତ ବଡ଼ ବଡ଼ କଥା କହିପାରିବେ କିନ୍ତୁ ସେସବୁକୁ ସାକାର କରିପାରିବେ ନାହିଁ । ବିଜେପି କେବଳ ସେହିସବୁ ପ୍ରତିଶ୍ରୁତି ଦେଇଥାଏ ଯାହାକୁ ପୂରଣ କରାଯାଇପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *