୬ ହଜାର ବିପନ୍ନ ଏବେ ବି ପଲିଥିନ୍ ତଳେ

ପୁଣି ଦାଉ ସାଧିଲା ବର୍ଷା
ଗୋପ (ଆପ୍ର): ଧନୁଆ ବନ୍ୟା ସହ କୁଶଭଦ୍ରା ଘାଇ ଗୋପ ବ୍ଲକ୍ ୭ ପଞ୍ଚାୟତର ୩୦ ହଜାର ଲୋକଙ୍କୁ ବାସହୀନ କରିଛି । କୁଶଭଦ୍ରାରେ ଘାଇ ଜାଣିବା ପୂର୍ବରୁ ହିଁ ଲୋକଙ୍କ ଘରେ ପାଣି ପଶିଗଲା । ଯଦ୍ଦ୍ୱାରା ବିପନ୍ନ ମାନେ ଯେତିକି ପୂର୍ବ ପ୍ରସ୍ତୁତି ହେବା କଥା ହୋଇପାରିଲେ ନାହିଁ ଏବଂ କ୍ଷୟକ୍ଷତି ଏବଂ ଦୂର୍ଦ୍ଦଶା ବଢିଗଲା । ପାରମ୍ପରିକ ଧନୁଆ ବନ୍ୟା ଏହି ୭ପଞ୍ଚାୟତରେ ପଛୁଆ ଭାବେ ଆସ୍ତେ ଆସ୍ତେ ବନ୍ୟାପ୍ଲାବିତ କରୁଥିବା ବେଳେ ଏଥର କୁଶଭଦ୍ରା ଘାଇ ବିଗତ ବନ୍ୟାର ଜଳସ୍ତରକୁ ପାର କରିଛି । ଧନୁଆ ବନ୍ୟା ସମୟରେ ଯେଉଁ ରାସ୍ତାରେ ୨ ଫୁଟ୍ର ପାଣି ଚାଲିଥାଏ ଏବେ ସେହି ସ୍ଥାନରେ ୫ ଫୁଟର ପାଣି ଚାଲୁଛି ।
ଧନୁଆ ବନ୍ୟାରେ ଯେଉଁ ପରିବାର ବନ୍ୟାର ସମ୍ମୁଖୀନ ହୋଇଛନ୍ତି ସେମାନେ ବାଧ୍ୟ ହୋଇ ଉଚ୍ଚ ରାସ୍ତା କିମ୍ବା ନଦୀ ବନ୍ଧରେ ପଲିଥିନ୍ ଟାଣି ଆଶ୍ରୟ ନେଇଛନ୍ତି । ହେଲେ ବୁଧବାର ପୁଣି ଲଘୁଚାପ ବର୍ଷା ହେବା ପରେ ଏବେ ୩ ମିଟର ପଲିଥିନ୍ ତଳେ ନିଜକୁ ଲୁଚାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ସରକାରୀ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଥିବା ବେଳେ ଏମାନଙ୍କ ନିକଟରେ ଏନ୍ଜିଓ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ସୁଖିଲା ଖାଦ୍ୟ ଏବେ ବଞ୍ଚିବାର ରାହା ସାଜିଛି । ମାତ୍ର ବର୍ଷା ପରେ ନା ଏମାନେ ପଲିଥିନ୍ ତଳେ ରହି ପାରୁଛନ୍ତି ନା ରୋଷେଇ କରି ଖାଇ ପାରୁଛନ୍ତି । ସରକାର କେତେକ ପଞ୍ଚାୟତ କୁ ରନ୍ଧାଖାଦ୍ୟ ଯୋଗାଇ ଦେଉଥିବା ବେଳେ ଅନେକ ବିପନ୍ନ ଆଜି ବି ରାସ୍ତା ପାଶ୍ୱର୍ରେ ଅନାହାରରେ ଜୀବନ ବିତାଉଛନ୍ତି । ପ୍ରତିବର୍ଷ ଭଳି ପାରମ୍ପରିକ ଭାବେ ପଲିଥିନ୍, ସୁଖିଲା ଖାଦ୍ୟ, ପାଣି ପାଉଚ୍, ଗୋଖାଦ୍ୟ ଯୋଗାଣ ସୀମିତ ଆକାରରେ ବାଣ୍ଟି ପ୍ରଶାସନ ବାହାବା ନେଉଥିବା ବେଳେ ସେପଟେ ବିପନ୍ନଙ୍କ ବେଦନା ଏହି ସହାୟତା ଠାରୁ ଢେର ଗୁଣ ଅଧିକ । ତୁରନ୍ତ ସରକାର ଏମାନଙ୍କ ଦୁର୍ଦ୍ଦଶା ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *