ମୋମୋତାଙ୍କୁ ସ୍ତବ୍ଧ କଲେ ପ୍ରଣୟ
ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସ
ଟୋକିଓ, ୨୪ା୮ (ଏଜେନ୍ସି): ଏଚ୍ଏସ୍ ପ୍ରଣୟ ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସରେ ବୁଧବାର ଦ୍ୱିତୀୟ ସିଡ୍ କେନ୍ତୋ ମୋମୋତାଙ୍କୁ ସିଧାସଳଖ ଗେମ୍ରେ ସ୍ତବ୍ଧ କରି ଚମକ୍ପ୍ରଦ ବିଜୟ ହାସଲ କରିଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଲକ୍ଷ୍ୟ ସେନ୍ ମଧ୍ୟ ପୁରୁଷ ଏକକ ପ୍ରି-କ୍ୱାର୍ଟର୍ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ଅନ୍ୟପଟେ, ଗତ ବର୍ଷର ରନର୍ସଅପ୍ କିଦାମ୍ବୀ ଶ୍ରୀକାନ୍ତ ପରାଜୟ ସହ ବିଦାୟ ନେଇଛନ୍ତି ।
ଅନ୍ସିଡ୍ ପ୍ରଣୟ ଦ୍ୱିତୀୟ ରାଉଣ୍ଡ ଟାଇରେ ଆଶାତୀତ ପ୍ରଦର୍ଶନ କରି ଦର୍ଶକଙ୍କ ଫେଭରିଟ୍ ତଥା ଦୁଇ ଥର ପୂର୍ବତନ ବିଶ୍ୱ ବିଜେତା ମୋମୋତାଙ୍କୁ ୨୧-୧୭, ୨୧-୧୬ରେ ପରାସ୍ତ କରିଥିଲେ । ଜାପାନୀ ଖେଳାଳି ମୋମୋତାଙ୍କ ବିପକ୍ଷରେ ପ୍ରଣୟ ଆଠ ମ୍ୟାଚ୍୍ ଖେଳିଥିବା ବେଳେ ପ୍ରଥମ ଥର ବିଜୟୀ ହୋଇଥିଲେ । ପୂର୍ବ ମ୍ୟାଚ୍ଗୁଡ଼ିକରେ ଭାରତୀୟ ଖେଳାଳି ନିଜ ଠାରୁ ଉଚ୍ଚ ମାନ୍ୟତାଧାରୀ ଖେଳାଳିଙ୍କ ବିପକ୍ଷରେ ମାତ୍ର ଗୋଟିଏ ଗେମ୍ ଜିତିଥିଲେ ।
ଏହା ପୂର୍ବରୁ ଯୁବ ତାରକା ଲକ୍ଷ୍ୟ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସ୍ପେନ୍ର ଲୁଇସ୍ ପେନାଲଭରଙ୍କୁ ୨୧-୧୭, ୨୧-୧୦ରେ ହରାଇଥିଲେ । ଏହି ମ୍ୟାଚ୍ ୭୨ ମିନିଟ୍ ଧରି ଚାଲିଥିଲା । ଗୁରୁବାର ଅନ୍ତିମ-୧୬ ମୁକାବିଲାରେ ପ୍ରଣୟ ଓ ଲକ୍ଷ୍ୟଙ୍କ ମଧ୍ୟରେ ମୁକାବିଲା ହେବ ।
ଅନ୍ୟ ଏକ ମ୍ୟାଚ୍ରେ ଶ୍ରୀକାନ୍ତ ବିଶ୍ୱର ୩୨ତମ ଖେଳାଳି ଝାଓ ଜୁନ୍ ପେଙ୍ଗ୍ଙ୍କ ଠାରୁ ୧୮-୨୧, ୧୭-୨୧ରେ ହାରି ଯାଇଥିଲେ । ଏହି ମ୍ୟାଚ୍ ମାତ୍ର ୩୪ ମିନିଟ୍ ଧରି ଚାଲିଥିଲା । ଭାରତୀୟ ଖେଳାଳି ମାତ୍ର ୧୨ ମିନିଟ୍ରେ ପ୍ରଥମ ଗେମ୍ ହାରିବା ପରେ ଦ୍ୱିତୀୟ ଗେମ୍ରେ ତାଙ୍କର ଅନେକ ଅନ୍ଫୋର୍ସଡ୍ ଏରର୍ ଝାଓଙ୍କ ବିଜୟକୁ ସହଜ କରିଦେଇଥିଲା ।
ପୁରୁଷ ଯୁଗଳରେ ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଭାରତୀୟ ଯୋଡ଼ି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ମହିଳା ଯୁଗଳରେ ଅଶ୍ୱିନୀ ପୋନପ୍ପା ଓ ଏନ୍. ସିକ୍କି ରେଡ୍ଡୀ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ ।
ଅଷ୍ଟମ ସିଡ୍ ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡ଼ି ଗୁଏଟେମାଲାର ସୋଲିସ୍ ଜୋନାଥନ୍ ଓ ଅନିବାଲ ମୋରିକୁଇନ୍ଙ୍କୁ ୨୧-୮, ୨୧-୧୦ରେ ପରାସ୍ତ କରିଥିଲେ । ସେମାନେ ପରବର୍ତ୍ତୀ ରାଉଣ୍ଡରେ ଡେନ୍ମାର୍କର ଜେପି ବେ ଓ ଲାସି ମୋଲହିଡଙ୍କୁ ଭେଟିବେ ।
ଅନ୍ସିଡ୍ ଅର୍ଜୁନ ଓ କପିଳା ଅଷ୍ଟମ ସିଡ୍ ତଥା ପୂର୍ବ ସଂସ୍କରଣର କାଂସ୍ୟ ବିଜେତା ଡେନ୍ମାର୍କର କିମ୍ ଆଷ୍ଟ୍ରୁପ ଓ ଆଣ୍ଡର୍ସ ସ୍କାରପ୍ ରାସମୁସେନ୍ଙ୍କୁ ୨୧-୧୭, ୨୧-୧୬ରେ ମାତ୍ ଦେଇଥିଲେ । ସେମାନେ ପରବର୍ତ୍ତୀ ମ୍ୟାଚ୍ରେ ସିଙ୍ଗାପୁରର ହୀ ୟଙ୍ଗ୍ କାଇ ଟେରୀ ଓ ଲୋହ କିନ୍ ହିନ୍ଙ୍କ ଯୋଡ଼ିକୁ ଭେଟିବେ ।
ତେବେ ଅଶ୍ୱିନୀ ଓ ସିକ୍କିଙ୍କ ଯୋଡ଼ି ଟପ୍ ସିଡ୍ ଚୀନ୍ର ଚେନ୍ କିଙ୍ଗ୍ ଚେନ୍ ଓ ଜିଆ ୟି ଫାନ୍ଙ୍କ ଠାରୁ ୧୫-୨୧, ୧୦-୨୧ରେ ହାରି ଯାଇଥିଲେ । ଏହି ମ୍ୟାଚ୍ ୪୨ ମିନିଟ୍ ଧରି ଚାଲିଥିଲା । ଅନ୍ୟ ଏକ ମହିଳା ଯୁଗଳ ଯୋଡ଼ି ପୂଜା ଧଣ୍ୁ ଓ ସଞ୍ଜନା ସନ୍ତୋଷ ମଧ୍ୟ ବିଦାୟ ନେଇଛନ୍ତି । ସେମାନେ ତୃତୀୟ ସିଡ୍ ଲି ସୋ ହୀ ଓ ଶିନ୍ ସିଉଙ୍ଗ୍ ଚାନ୍ଙ୍କ ଠାରୁ ୧୫-୨୧, ୭-୨୧ରେ ପରାଜିତ ହୋଇଥିଲେ ।