୩ ଅଧିକାରୀ ବରଖାସ୍ତ
ମିସାଇଲ୍ ମିସ୍ଫାୟର୍
ନୂଆଦିଲ୍ଲୀ, ୨୩ା୮: ଚଳିତ ବର୍ଷ ମାର୍ଚ୍ଚ ୯ରେ ଭାରତର ଗୋଟିଏ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ମିସ୍ଫାୟାର ହୋଇ ପାକିସ୍ତାନରେ ପଡିଥିଲା । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ୬ମାସ ପରେ ଭାରତ ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଲମ୍ବିତ ହୋଇଥିବା ବାୟୁସେନାର ସମ୍ପୃକ୍ତ ତିନିଜଣ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ତକ୍ରାଳ ବରଖାସ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଗ୍ରୁପ୍ କ୍ୟାପ୍ଟେନ୍, ଜଣେ ୱିଙ୍ଗ୍ କମାଣ୍ଡର ଓ ଜଣେ ସ୍କ୍ୱାଡ୍ରନ୍ ଲିଡର । କ୍ଷେପଣାସ୍ତ୍ର ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି)ରେ ତ୍ରୁଟି ପାଇଁ ୩ ଅଧିକାରୀ ଦଣ୍ଡିତ ହୋଇଛନ୍ତି ।
ହରିଆନାର ସିରସାଠାରୁ ଭୁଲ୍ କ୍ରମେ ଉତ୍କ୍ଷେପିତ ହୋଇ କ୍ଷେପଣାସ୍ତ୍ରଟି ସୁରତଗଡ ବାଟ ଦେଇ ୧୨୪ କିମି ଗତି କରିବା ପରେ ପାକିସ୍ତାନ ସୀମା ଭିତରେ ମାର୍ଚ୍ଚ ୯ ସନ୍ଧ୍ୟାରେ ପଡିଥିଲା । ପାକିସ୍ତାନ ସରକାର ଭାରତଠାରୁ ଜବାବ ମାଗିଥିଲେ । ଭାରତ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା । ପରେପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଆଦେଶ କ୍ରମେ ଏହି ଘଟଣାର କୋର୍ଟ ଅଫ୍ ଇନ୍୍୍କ୍ୱାରୀ ଆଦେଶ ଦିଆଗଲା । ଜଣେ ଏୟାର୍ ଭାଇସ୍ ମାର୍ଶଲ୍ଙ୍କ ନେତୃତ୍ୱରେ ଗଠିତ କୋର୍ଟ ଅଫ୍ ଇନ୍କ୍ୱାରୀ ଏପ୍ରିଲ୍ରେ ତଦନ୍ତ ଶେଷ କରିଥିଲେ । ତଦନ୍ତ ରିପୋର୍ଟ ଉପସ୍ଥାପନ ପୂର୍ବରୁ ଏହାର ଆଇନଗତ ସମୀକ୍ଷା କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ, ବରଂ ମନୁଷ୍ୟକୃତ ତ୍ରୁଟିରୁ ମିସ୍ ଫାୟାର୍ ହୋଇଛି ।
ମିସାଇଲ୍ ମିସ୍ଫାୟାର ନେଇ ପାକିସ୍ତାନ କଡା ଆପତ୍ତି ଉଠାଇଥିଲା ଯଦିଓ ବ୍ରହ୍ମୋସ ପଡିବା ଯୋଗୁଁ ପାକିସ୍ତାନରେ କୌଣସି ଧନଜୀବନ ହାନି ହୋଇନଥିଲା ।
ମାମଲା ରାଜ୍ୟସଭାରେ ମଧ୍ୟ ଉଠିଥିଲା । ମାର୍ଚ୍ଚ ୧୫ ତାରିଖ ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୃହରେ କହିଥିଲେ ଯେ କ୍ଷେପଣାସ୍ତ୍ର ଭୁଲ୍ କ୍ରମେ ପାକିସ୍ତାନ ଦିଗକୁ ଉତ୍କ୍ଷେପିତ ହୋଇଥିଲା । ନିୟମିତ ନିରୀକ୍ଷଣ ସମୟରେ ଏଭଳି ଦୁର୍ଘଟଣା ଘଟିଲା ଏବଂ ପରେ ଆମେ ଜାଣିବାକୁ ପାଇଲୁ ତାହା ପାକିସ୍ତାନରେ ପଡିଛି । ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରି ଏକ ଉଚ୍ଚସ୍ତରୀୟ ଯାଞ୍ଚ ଆଦେଶ ଦେଇଛନ୍ତି ।
ଡିଆର୍ଡିଓ ଏବଂ ରୁଷିଆର ଏନ୍ପିଓ ମାଶିନୋଷ୍ଟ୍ରାଏନିୟାର ମିଳିତ ଉଦ୍ୟମରେ ବ୍ରହ୍ମୋସ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ବ୍ରହ୍ମପୁତ୍ର ଓ ମସ୍କୋଭା ନଦୀ ନାମର ମିଶ୍ରଣରେ ଏହି କ୍ଷେପଣାସ୍ତ୍ରର ବ୍ରହ୍ମୋସ ନାମକରଣ କରାଯାଇଛି ।