ଅଡାଣୀ ହାତକୁ ଯିବ ଏନ୍ଡିଟିଭି ଗ୍ରୁପ୍
ନୂଆଦିଲ୍ଲୀ, ୨୩ା୮: ଭାରତର ସବୁଠାରୁ ବଡ଼ ବ୍ୟାବସାୟିକ ଗ୍ରୁପ୍ ଅଡାଣୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ଏଇଏଲ୍) ପ୍ରମୁଖ ମିଡିଆ କମ୍ପାନୀ ଏନ୍ଡିଟିଭି (ନୁ୍ୟ ଦିଲ୍ଲୀ ଟେଲିଭିଜନ ଲିମିଟେଡ୍)କୁ କିଣିବ । ଅଡାଣୀ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଅଡାଣୀ ଗ୍ରୁପ୍ର ମିଡିଆ କମ୍ପାନୀ ଏଏମ୍ଜି ମିଡିଆ ନେଟ୍ୱର୍କସ୍ ଲିମିଟେଡ୍ ଏ ସମ୍ବନ୍ଧୀୟ ୪୯୫ କୋଟି ଟଙ୍କାର ଡିଲ୍ କରିବାକୁ ଯାଉଛି ।
କମ୍ପାନୀ ଏନ୍ଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ ଅପ୍ରତ୍ୟକ୍ଷ ଭାବେ କିଣିବ ଏବଂ ତା’ସହିତ ଏନ୍ଡିଟିଭିର ୨୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଏଥିପାଇଁ ଗଡାଣୀ ପକ୍ଷରୁ ସେୟାର ପିଛା ୨୯୪ ଟଙ୍କା ଅଫର୍ ଦିଆଯାଇଛି । ଏହାଫଳରେ ଏନ୍ଡିଟିଭିରେ ଅଡାଣୀ ଗ୍ରୁପ୍ର ଅଂଶଧନ ୫୫ ପ୍ରତିଶତରୁ ଅଧିକ ହେବ ଏବଂ ଅଡାଣୀ ହେବ ଏନ୍ଡି ଟିଭିର ପ୍ରମୁଖ ଷ୍ଟେକ୍ହୋଲ୍ଡର୍ । ଅଡାଣୀ ପକ୍ଷରୁ ଏନ୍ଡିଟିଭି ସେୟାର କ୍ରୟ ଦାୟିତ୍ୱ ବିଶିଷ୍ଟ ଲିଗାଲ୍ ଫାର୍ମ ସିରିଲ୍ ଅମରଚାନ୍ଦ ମଙ୍ଗଳଦାସକୁ ଦିଆଯାଇଛି ।
ସୋମବାର ସନ୍ଧ୍ୟାରେ ଅଡାଣୀର ଅଧିଗ୍ରହଣ ଯୋଜନା ପ୍ରଘଟ ହେବାର କିଛି ସମୟ ପରେ ଏନ୍ଡି ଟିଭି ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଥିଲା ଯେ, କୌଣସି ଆଲୋଚନା ନ କରି ଅଡାଣୀ ଏଭଳି ଅଫର୍ ଦେଇଛି । ଏନ୍ଡିଟିଭିର ପ୍ରତିଷ୍ଠାତା ଦମ୍ପତି ପ୍ରଣୟ ଓ ରାଧିକା ରୟଙ୍କ ତରଫରୁ ଷ୍ଟକ୍ ଏକ୍ସଚେଞ୍ଜକୁ ଏହି ନୋଟିସ୍ ଦିଆଯାଇଛି ।
ଅଡାଣୀ ଗ୍ରୁପ୍ ସେୟାର କିଣୁଥିବା ଖବର ପ୍ରସାରିତ ହେବା ପରେ ଏନ୍ଡିଟିଭିର ସେୟାର ମୂଲ୍ୟ ମଙ୍ଗଳବାର ୫ ପ୍ରତିଶତ ବୃଦ୍ଧି ପାଇ ପ୍ରତି ସେୟାର ମୂଲ୍ୟ ୩୭୫ ଟଙ୍କା ୫୫ ପଇସାରେ ପହଞ୍ଚôଛି ।
ପାୱାରଠାରୁ ପୋର୍ଟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସକ୍ରିୟ ଥିବା ଅଡାଣୀ ଗ୍ରୁପ୍ ମିଡିଆ ଇଣ୍ଡଷ୍ଟ୍ରିରେ ପୂର୍ବରୁ ପ୍ରବେଶ କରିଛି । ଗତ ଏପ୍ରିଲ୍ ୨୬ ତାରିଖ ଦିନ ଏଇଏଲ୍ ତାର ମିଡିଆ ନେଟ୍ୱାର୍କ ଲିମିଟେଡ୍ ଗଠନ କରିଥିଲା । ମେ ୧୬ ତାରିଖ ଦିନ କ୍ୱିଣ୍ଟ୍ ମିଡିଆର ୪୯ ପ୍ରତିଶତ ଅଂଶଧନ କିଣିଥିଲା ଅଡାଣୀ ଗ୍ରୁପ୍ । କମ୍ପାନୀ ଏନ୍ଡିଟିଭି କିଣିବାକୁ ଯାଉଥିବା ସୂଚନା ମିଳିଥିଲା ଯେତେବେଳେ ଦ କ୍ୱିଣ୍ଟ୍ର ପୂର୍ବତନ ଏଡିଟରିଆଲ୍ ଡାଇରେକ୍ଟର ସଞ୍ଜୟ ପୁଗାଲିଆ ଅଡାଣୀ ଏଣ୍ଟରପ୍ରାଇଜେସ୍ର ମିଡିଆ କମ୍ପାନୀରେ ସିଇଓ କଥା ମୁଖ୍ୟ ସମ୍ପାଦକ ରୂପେ ନିଯୁକ୍ତ ହେଲେ ।
ପ୍ରାୟ ୩୦ ବର୍ଷ ହେଲା ଏନ୍ଡିଟିଭି ମିଡିଆ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଆସିଛି । କମ୍ପାନୀର ଅଛି ୩ଟି ନ୍ୟାସନାଲ୍ ନୁ୍ୟଜ୍ ଚାନେଲ୍ – ଏନ୍ଡିଟିଭି ୨୪ଙ୍ଘ୭, ଏନ୍ଡିଟିଭି ଇଣ୍ଡିଆ ଓ ଏନ୍ଡିଟିଭି ପ୍ରଫିଟ୍ । କମ୍ପାନୀର ଅନ୍ଲାଇନ୍ ଉପସ୍ଥିତି ମଧ୍ୟ ସୁଦୃଢ । ଗତ ଆର୍ଥିକ ବର୍ଷରେ ଏନ୍ଡିଟିଭି ଶୁଦ୍ଧ ଲାଭ ପରିମାଣ ଥିଲା ୮୫ କୋଟି ଟଙ୍କା ।