ଏଲ୍ଏଲ୍ବି ସାର୍ଟିଫିକେଟ୍ ପାଇଁ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ଜାଲରେ ଲ’ କଲେଜ୍ ହେଡ୍ କ୍ଲର୍କ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଏଲ୍ଏଲ୍ବି ଡିଗ୍ରୀ ପ୍ରମାଣପତ୍ର ଦେବା ପାଇଁ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲ୍ାନ୍ସ ହାତରେ ଧରାପଡଥିଲେ । ବେଆଇନ ଭାବରେ କୋଟି କୋଟି ଟଙ୍କା ଠୁଳ କରିଥିବା କିରାଣୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । କୋଲକୋତା ମୁର୍ସୁଦାବାଦ୍ର ଜଣେ ଆଇନ ଛାତ୍ର ମାସୁଦ ହୁସେନ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରେ ଏଲ୍ଏଲ୍ବି ପାଠ ପଢୁଥିଲେ । ସେ ପାଶ୍ କରିବା ପରେ ତାଙ୍କ ପ୍ରମାଣ ପତ୍ର ଦେବା ପାଇଁ ମୁଖ୍ୟ କିରାଣୀ ଉତ୍ତମ କୁମାର ରାଉତ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ମାସୁଦ ଏହାକୁ ଦେବାକୁ ରାଜି ହୋଇ ନ ଥିବା ବେଳେ ପରେ ୮ ହଜାର ୫ ଶହ ଟଙ୍କା ଦେଲେ ପ୍ରମାଣ ପତ୍ର ଦେବେ ବୋଲି ଉତ୍ତମ କହିଥିଲେ ।
ଏହାକୁ ନେଇ ମାସୁଦ ଓଡିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ପୂର୍ବ ପ୍ରସ୍ତୁତିରୁ ହୁସେନ କିରାଣୀ ଉତ୍ତମଙ୍କୁ ଟଙ୍କା ଦେଇଥିବା ବେଳେ, ଭିଜିଲାନ୍ସ ତାକୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ନିକଟରୁ ଟଙ୍କା ଉଦ୍ଧାର କରାଯିବା ସହିତ ସହରରେ ଥିବା ତାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଉତ୍ତମ ବେଆଇନ୍ ଭାବରେ ଏଭଳି କୋଟି କୋଟି ଟଙ୍କା ରୋଜଗାର କରିଥିବାର ଅଭିଯୋଗ ହୋଇଛି । ଢେଙ୍କାନାଳ ସହର ସ୍ଥିତ ଦୋଳ ମଣ୍ଡପ ସାହିରେ ତାଙ୍କ ଆନୁମାନିକ କୋଟିଏ ଟଙ୍କାର ଗୋଟିଏ ଆଲିସାନ ଘର ରହିଥିବା ବେଳେ ଏହାକୁ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।