ସତ୍ୟବାଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର
୯ ହଜାର ଏକର ଧାନ, ୨ ହଜାର ଏକର ଫସଲ ନଷ୍ଟ
ସାକ୍ଷୀଗୋପାଳ (ଆପ୍ର): ସତ୍ୟବାଦୀ ବ୍ଲକ୍ରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ପୂର୍ବ ସତ୍ୟବାଦୀ ଅଞ୍ଚଳରେ ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ ନଳିତା ପହଣ୍ଡି ନନ୍ଦି ଗୋରଡ଼ା ବାଲିବସ୍ତ ମାଇନର କେନାଲ ବନ୍ଧ ରାସ୍ତାରେ ବାଘାସିଂହ କଟ ଓ ଧନୁଆ ନଦୀ ବନ୍ଧର ପୋଡ଼ପଡା ଓ ଓରୁଆଳ ମଧ୍ୟରେ ୨ ଗୋଟି ଘାଇ ହେବା ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ସତ୍ୟବାଦୀ ବ୍ଲକ୍ର କେତକୀପାଟଣା ଓ ବଳରାମପୁରଗଡ଼ ପଞ୍ଚାୟତରେ ପ୍ରବେଶ କରୁଛି । ୨ ଗ୍ରାମର ୧୫୦ରୁ ଊଦ୍ଧ୍ୱର୍ ବିପନ୍ନଙ୍କୁ ଦୁବପାଟଣା ବିଦ୍ୟାଳୟ ଓ ବିଶ୍ୱନାଥ ଦେଉଳି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ଦିଆଯାଇଛି ।
ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅରକ୍ଷିତ ପ୍ରଧାନ, ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ରଞ୍ଜନ କର, ଗ୍ରାମ ରୋଜଗାର ସେବକ ସୌଭାଗ୍ୟ କୁମାର ଦାସ, ସରପଞ୍ଚ ବିନତୀ ନାୟକ, ସମିତି ସଭ୍ୟ ସମ୍ପଦ ପରିଡ଼ା ପ୍ରମୁଖଙ୍କ ସହିତ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରର ଆଗ୍ନିକମାନେ ବିପନ୍ନଙ୍କୁ ସ୍ଥାନାନ୍ତର କରିଥିଲେ । କେତକୀପାଟଣା ପଞ୍ଚାୟତର ବାଲି ଉପର, ବିଶ୍ୱନାଥ ଦେଉଳି, ଅଲଣ୍ଡା ପଡ଼ା, ରୟତ ସାହି, ଦୁବପାଟଣା, ପାତ୍ରସାହି ଓ କେତକୀପାଟଣା ଗ୍ରାମ ପାଣିଘେରରେ ରହିଛି । ପ୍ରାୟ ୩ ହଜାର ଏକର ଧାନ ଓ ୧ ହଜାର ଏକର ପରିବା ଚାଷ ଜମି ଜଳମଗ୍ନ ହେବା ଫଳରେ ଫସଲ ହାନି ଘଟିବ । ଡେପୁଟି କଲେକ୍ଟର କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ପ୍ରମୁଖ ଏହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ସେହିପରି ପଶ୍ଚିମ ସତ୍ୟବାଦୀ ଅଞ୍ଚଳରେ ଲୁଣା ନଦୀର ପଛୁଆ ପାଣି ବିପଦ ସୃଷ୍ଟି କରିଛି । ଖଣ୍ଡିଘରଠାରେ ଏହି ବନ୍ୟା ଜଳ ନିଷ୍କାସିତ ହୋଇପାରୁ ନ ଥିବାରୁ ଏହି ଉଦବୃତ୍ତ ବନ୍ୟା ଜଳ ପଛୁଆ ପ୍ରବାହିତ ହୋଇ ଆରିହଁ ନିକଟରେ ନରେନ୍ଦ୍ରପୁର ଖଲାସିରେ ପ୍ରବେଶ କରୁଛି । ଏହା ଦ୍ୱାରା ବନ୍ୟା ଜଳ ନରେନ୍ଦ୍ରପୁର ଓ ଆଳିସ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ପାଣି ମାଡୁଛି ।