ସ୍ୱାମୀର ଅନ୍ତ୍ୟେଷ୍ଟି ବେଳେ ପ୍ରେମିକ ସହ ସ୍ତ୍ରୀ ଚମ୍ପଟ

ଅବୈଧ ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା!
ରାଜକନିକା (ଆପ୍ର): ଗୋଟିଏ ପଟେ ମୃତ ସ୍ୱାମୀର ଜୁଇ ଜଳୁଥିବା ବେଳେ ଅନ୍ୟପଟେ ନିଜ ପ୍ରେମିକର ହାତ ଧରି ଫେରାର୍ ହୋଇଯାଇଛି ସ୍ତ୍ରୀ । ପରକୀୟା ପ୍ରୀତି ନେଇ ଆଗରୁ ଅଭିଯୋଗ ହେଉଥିଲେ ମଧ୍ୟ ସ୍ୱାମୀଙ୍କ ମୃତୁ୍ୟ ପରେ ଘଟଣା ଉପରୁ ପରଦା ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜକନିକା ଥାନା ଭାମଣ୍ଡା ଗାଁରେ ।
ସୂଚନାନୁସାରେ ଗାଁର ନୃସିଂହ ନାଥ ମନ୍ଦିରର ପୂଜକ ରଙ୍ଗାଧର ଦାଶ ଯିଏକି ଗତ ୧୭/୮ରୁ ନିଖୋଜ ହେବା ନେଇ ରାଜକନିକା ଥାନାରେ ଏତଲା ଦିଆଯାଇଥିବା କହିଥିଲେ ରଙ୍ଗାଧରଙ୍କ ସ୍ତ୍ରୀ ରତ୍ନମଣି । ପୁଣି ଆଉ ଏକ ଏତଲାରେ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ସ୍ପଷ୍ଟ ଭାବେ ଅଭିଯୋଗ କରିଥିଲେ ଯେ ତାଙ୍କ ଭାଇ ସହ ପତ୍ନୀ ରତ୍ନମଣୀର ସବୁବେଳେ ଝଗଡା ଲାଗି ରହୁଥିଲା । ଆଉ ଏହାର ପ୍ରମୁଖ କାରଣ ଥିଲା ସେହି ଗାଁର ଅନ୍ୟଜଣେ ଯୁବକଙ୍କ ସହ ରତ୍ନମଣିଙ୍କ ଅବୈଧ ସମ୍ପର୍କ । ଗତ ୧୭ ତାରିଖ ରଙ୍ଗାଧରଙ୍କ ନିଖୋଜ ପଛରେ ଏମାନଙ୍କ ହାତ ଥିବା ନେଇ ତାଙ୍କ ଭାଇ ଅଭିଯୋଗରେ ଦର୍ଶାଇଛନ୍ତି । ଗତକାଲି ଗାଁ ପାଖ ନାଳରୁ ଏକ ଗଳିତ ଶବ ମିଳିଥିବା ବେଳେ ତାହା ରଙ୍ଗାଧରଙ୍କର ବୋଲି ଚିହ୍ନଟ ହେବା ପରେ ସନେ୍ଦହ ଦୃଢ଼ିଭୁତ ହୋଇଥିଲା । ମୃତଦେହରେ କ୍ଷତଚିହ୍ନ ଥିବା ସହ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ସେପଟେ ରାଜକନିକା ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିବା ପରେ ଅନ୍ତ୍ୟେଷ୍ଟି ପାଇଁ ପ୍ରକ୍ରିୟା କରାଯାଇଥିଲା । ମଶାଣିକୁ କୋକେଇରେ ଶବ ବୁହା ହେଲା । ଜୁଇରେ ବି ଜଳିଲା । ଏହି ସମୟରେ ସାତଜନମକୁ ସାଥି ହୋଇ ଥିବା ପତ୍ନୀ ଜଣକ କିନ୍ତୁ ଶଙ୍ଖା ଖୋଲି ନିଜ ପ୍ରେମିକ ସହ ଫେରାର୍ ହୋଇଗଲା । ଏସବୁ ଘଟଣାକୁ ଭିତ୍ତି କରି ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ଦେଇଥିବା ଏତଲା ସମ୍ପୂର୍ଣ୍ଣ ସତ୍ୟ ବୋଲି କୁହାଯାଉଛି । ରତ୍ନମଣି ଓ ତାଙ୍କ ପ୍ରେମିକ ଜାଣିଶୁଣି ରଙ୍ଗାଧରକୁ ବେକ ଚିପିବା ସହ ମୁଣ୍ଡକୁ ଲୁହାରଡ୍ରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁଲିସ୍ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *