ପୁଣି ଦିଲ୍ଲୀ ଫେରିଲେ ଚାଷୀ
ନୂଆଦିଲ୍ଲୀ, ୨୨ା୮: ବେକାର ସମସ୍ୟା ତଥା କୃଷକମାନଙ୍କ ବିଭିନ୍ନ ପୁରୁଣା ଦାବିକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରଠାରେ ସୋମବାର କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି । ମହାପଞ୍ଚାୟତ ପାଇଁ ପୁଲିସ୍ ଅନୁମତି ଦେଇ ନ ଥିବା ସତ୍ତ୍ୱେ ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ହରିଆଣାର କୃଷକ ସଂଗଠନର ନେତାମାନେ ଏଥିରେ ଭାଗ ନେଇଥିଲେ । କିଷାନ ମଜଦୁର ମହାସଂଘ ଓଡ଼ିଶା ନେତା ମଧ୍ୟ ମହାସମ୍ମିଳନୀରେ ଉପସ୍ଥିତ ଥିଲେ । କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ୩ କୃଷି ଆଇନ୍କୁ ବିରୋଧ କରି ପ୍ରାୟ ବର୍ଷେ କାଳ ଚାଲିଥିବା ପ୍ରଥମ ଆନେ୍ଦାଳନ ବେଳେ କେନ୍ଦ୍ର ସରକାର ଆମର ସବୁ ଦାବିର ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏ ଭିତରେ ବର୍ଷେ ବିତି ଯାଇଥିଲେହେଁ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇ ନ ଥିବାରୁ କୃଷକମାନଙ୍କୁ ପୁଣି ଥରେ ଦିଲ୍ଲୀ ଫେରିବାକୁ ପଡିଲା । ଏମ୍ଏସ୍ପି ଉପରେ ଆଇନ୍ ଗ୍ୟାରେଣ୍ଟି ଏବଂ ବିଦୁ୍ୟତ୍ ସଂଶୋଧନ ବିଧେୟକ ୨୦୨୨ ରଦ୍ଧ ସମେତ ଅନ୍ୟାନ୍ୟ ଦାବି ଆମେ ଦୋହରାଇବୁ ।
ସୋମବାର ସନ୍ଧ୍ୟାରେ ଶେଷ ହୋଇଥିବା ଏହି ଦିନିକିଆ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣ ରାଜନୈତିକ) ପକ୍ଷରୁ ଘୋଷଣା କରାଯାଇଛି ଯେ,ସରକାରଙ୍କୁ ଦାବି ପୂରଣ ପାଇଁ ୧୫ ଦିନ ସମୟ ଦିଆଗଲା । ଦାବି ପୂରଣ ନ ହେଲେ ୧୫ ଦିନ ପରେ ଆନେ୍ଦାଳନ ବ୍ୟାପକ ହେବ । ମଙ୍ଗଳବାର ମୋର୍ଚ୍ଚାର ଏକ ବୈଠକ ବସି ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରାଯିବ ।
କୃଷକମାନେ ପୁଣି ଥରେ ଦିଲ୍ଲୀ ଆସି ଆନେ୍ଦାଳନ ଚେତାବନୀ ଦେବା ଘଟଣାରୁ ଅନୁମାନ କରାଯାଉଛି ଯେ, ପୁନର୍ବାର କୃଷକ ଆନେ୍ଦାଳନ ଭାଗ-୨ ଆରମ୍ଭ ହୋଇପାରେ ।
କିଷାନ ମହାପଞ୍ଚାୟତ ଯୋଗୁ ସୋମବାର ଦିଲ୍ଲୀର ଅନେକ ଯାଗାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଦିଲ୍ଲୀ ପୁଲିସ୍ ପକ୍ଷରୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଥିଲା । ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଥିବା ସତ୍ତ୍ୱେ ଅନେକ ଚାଷୀ ନେତା ଜନ୍ତର-ମନ୍ତରଠାରେ ସମବେତ ହୋଇଥିଲେ । ସେଠାରେ ସେମାନେ ପୁଲିସ୍ ବାରିକେଡ୍ ଭାଙ୍ଗି ଦେଇଥିଲେ । ଗାଜିପୁରଠାରେ ଦିଲ୍ଲୀ-ୟୁପି ସୀମାରେ ବିକ୍ଷୋଭରତ କୃଷକମାନଙ୍କୁ ପୁଲିସ୍ ଗିରଫ କରିଥିବା ଖବର ମିଳିଛି । ଏହା ପୂର୍ବରୁ ରବିବାର କୃଷକ ନେତା ରାକେଶ ଟିକାୟତଙ୍କୁ ପୁଲିସ୍ ଗିରଫ କରିଥିଲା । ସେ ଗାଜିପୁର ବର୍ଡରରୁ ଦିଲ୍ଲୀ ସୀମାକୁ ପ୍ରବେଶ ଉଦ୍ୟମ କରୁଥିଲେ । ଗିରଫ ହେବା ପରେ ଟିକାୟତ ଟ୍ୱିଟ୍ କରି ଲେଖିଛନ୍ତି, ସରକାର କୃଷକଙ୍କ ସ୍ୱରକୁ ଦବାଇ ପାରିବେ ନାହିଁ । ଶେଷ ନିଶ୍ୱାସ ଥିବା ଯାଏ ଆମ ସଂଘର୍ଷ ଜାରି ରହିବ ।
ମହାପଞ୍ଚାୟତରେ ଯୋଗ ଦେଇଥିବା ସଂଗଠନଗୁଡ଼ିକ ମଧ୍ୟରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ, ଭାରତୀୟ କିଷାନ ୟୁନିୟନ୍ – ଅମ୍ବାବତା ଓ ସରିସା, ଭାରତୀୟ କିଷାନ ଏକତା, ଭାରତୀୟ କିଷାନ ୟୁନିୟନ୍ ଖଉସା, ଭାରତୀୟ କିଷାନ ନୌଜବାନ ୟୁନିୟନ୍, ଅନ୍ନଦାତା କିଷାନ ୟୁନିୟନ୍ ହରିଆଣା, ବୁନେ୍ଦଲଖଣ୍ଡ କିଷାନ ୟୁନିୟନ୍, ଭାରତୀୟ କିଷାନ ମଜଦୁର ୟୁନିୟନ, ହରିଆଣା କିଷାନ ୟୁନିୟନ୍, କ୍ଷେତି ବଚାଓ ମୋର୍ଚ୍ଚା, କିଷାନ ମଜଦୁର ମହାସଂଘ ଓଡ଼ିଶା, ରାଷ୍ଟ୍ରୀୟ କିଷାନ ସଂଗଠନ ଅନ୍ୟତମ ।