ମୋତେ ମୁଖ୍ୟମନ୍ତ୍ରୀ ଲୋଭ ଦେଇଥିଲା ବିଜେପି
ସିସୋଦିଆଙ୍କ ସଂଗୀନ ଅଭିଯୋଗ
ନୂଆଦିଲ୍ଲୀ (ଏଜେନ୍ସି): ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସୋମବାର ଦିନ ବିଜେପି ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବିଜେପି ପକ୍ଷରୁ ତାଙ୍କୁ ଅନେକ ଲୋଭ ଦେଖାଯାଇଥିଲା । ଏପରିକି ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ମଧ୍ୟ ପ୍ରସ୍ତାବ ଦେଇଥିଲା ବିଜେପି । କିନ୍ତୁ ସେ ବିଜେପିର ଏହି ପ୍ରସ୍ତାବକୁ ମାନିନଥିଲେ । ଏହି କାରଣରୁ ବିଜେପି ଏବେ ତାଙ୍କ ପଛରେ ସିିବିଆଇ-ଇଡିକୁ ଲଗାଇଛି ।
ନିକଟରେ ନିଜକୁ ମହାରାଣା ପ୍ରତାପଙ୍କ ବଂଶଧର ବୋଲି ଦାବି କରିଥିବା ସିସୋଦିଆ କହିଛନ୍ତି, ବିଜେପି ତାଙ୍କୁ କେଜରିୱାଲ ଏବଂ ଆମ୍ ଆଦ୍ମୀ ପାର୍ଟି ଛାଡି ବିଜେପିରେ ମିଶିବାକୁ ପ୍ରସ୍ତାବ ଦେଇଥିଲା । ବିଜେପିରେ ମିଶିବା ପରେ ତାଙ୍କ ବିରୋଧରେ ଚାଲିଥିବା ସିବିଆଇ ଇଡି ତଦନ୍ତକୁ ବନ୍ଦ କରିଦିଆଯିବ ଏବଂ ସମସ୍ତ ମାମଲାକୁ ପ୍ରତ୍ୟାହାର କରିନିଆଯିବ ବୋଲି ପ୍ରଦେଶ ବିଜେପିର ଅନେକ ବରିଷ୍ଠ ନେତା ତାଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ସେ (ସିସୋଦିଆ ନିଜେ), କେଜରିୱାଲଙ୍କୁ ନିଜର ରାଜନୈତିକ ଗୁରୁ ମାନୁଥିବାରୁ ତାଙ୍କ ସହ ପ୍ରତାରଣା କରିପାରିବେନି ବୋଲି କହିଥିଲେ । ଏହାପରେ ବିଜେପି ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବିରୋଧରେ ମିଥ୍ୟା ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ ଭଳି କାର୍ଯ୍ୟକ୍ରମ ଚଳାଇଛି । ତାଙ୍କ ପତ୍ନୀ ଏବଂ ପିଲାଙ୍କ କପ୍ବୋର୍ଡକୁ ଖୋଲି ସିବିଆଇ ଅଧିକାରୀମାନେ ଯାଞ୍ଚ୍ କରିଛନ୍ତି । ତେବେ ସେ ଏସବୁକୁ ନେଇ ଭୟଭୀତ ନୁହଁନ୍ତି ବୋଲି ନିକଟରେ ନିଜକୁ ମହାରାଣା ପ୍ରତାପଙ୍କ ବଂଶଧର ବୋଲି ଦାବି କରିଥିବା ସିସୋଦିଆ କହିଛନ୍ତି ।
ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜେପିର ଦିଲ୍ଲୀରେ ପଦ୍ମ ଫୁଟାଇବାର ମିଶନ୍ ଫେଲ୍ ହୋଇଯାଇଛି । ଆପ୍କୁ ଭାଙ୍ଗିବା ପାଇଁ ବିଜେପିର ଷଡଯନ୍ତ୍ର ପଦାରେ ପଡିଯାଇଛି । ଏହି ଅବସରରେ କେଜରିୱାଲ, ସିସୋଦିଆଙ୍କୁ ଭାରତ ରତ୍ନ ପାଇବାର ଯୋଗ୍ୟ ବୋଲି ମଧ୍ୟ କହିଛନ୍ତି । ଅପରପକ୍ଷେ ବିଜେପି ପକ୍ଷରୁ ସିସୋଦିଆଙ୍କ ଏପ୍ରକାର ଦାବିକୁ ଖଣ୍ଡନ କରାଯାଇଛି ।