ଠିପି ଖୋଲା ମଦ ଦୋକାନକୁ ତୀବ୍ର ବିରୋଧ

ପଟ୍ଟାମୁଣ୍ଡାଇ (ଆପ୍ର): ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ -ଚୌଦକୁଲାଟ ରାସ୍ତାରେ ଏକ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ସରକାରୀ ସ୍ତରରେ ଯୋଜନା ଚାଲିଥିବାବେଳେ ଏହାକୁ ସ୍ଥାନୀୟ ଲୋକେ ଦୃଢ଼ ବିରୋଧ କରିଛନ୍ତି । ଠିପିଖୋଲା ମଦ ଦୋକାନ ଓ ବାର ଖୋଲାଯିବା ପ୍ରସ୍ତାବରୁ ସରକାର ନ ଓହରିଲେ ବ୍ୟାପକ ଜନଆନେ୍ଦାଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ-ଚୌଦକୁଲାଟ ରାସ୍ତାରେ ପୂର୍ବରୁ ଏକ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ସରକାରୀ ମଦ ଦୋକାନ ରହିଥିବା ବେଳେ ଏଠାରେ ଆଉ ଏକ ମଦ ଦୋକାନ ପାଇଁ ଦୋକାନ ଗୃହ ନିର୍ମାଣ ଚାଲିଛି । ସରକାରୀ ନିୟମ ଅନୁସାରେ ହୋଟେଲ ଖୋଲାଯିବା ପରେ ବାର୍ ପାଇଁ ଆବେଦନ କରାଯାଇଥାଏ । ଏଠାରେ ଆଦୌ ହୋଟେଲ ନ ଥିବାବେଳେ ଏକ ଅର୍ଦ୍ଧର୍ନିମିତ କୋଠାରେ ଭ୍ରମ ସୃଷ୍ଟି ପାଇଁ ବ୍ୟାନର୍ ବନ୍ଧଓଯାଇ ହୋଟେଲ ବୋଲି ସୂଚିତ କରାଯାଇଛି । କେନ୍ଦ୍ରାପଡ଼ା ସିଡିଏମ୍ଓ କେଉଁ ନିୟମ ଆଧାରରେ ଫୁଡ ଲାଇସେନ୍ସ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଲ୍ଲିକ, ପୂର୍ବତନ ସରପଞ୍ଚ ସୋନାଲି ବିଶ୍ୱାଳ, ପୂର୍ବତନ ସରପଞ୍ଚ ସୁବାସ ଶର୍ମାଙ୍କ ସମେତ ଅନ୍ୟମାନେ ପ୍ରଶ୍ନ କରିଛନ୍ତି ।
ତେବେ ଗୋଗୁଆ-ଚୌଦକୁଲାଟ ଏକ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ ଥିବା ବେଳେ ଏହା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ମୁଖ୍ୟ ପ୍ରବେଶ ପଥ । ଏଠାରେ ମଦ ଦୋକାନ ଖୋଳାଗଲେ ଅସମାଜିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ସହ ଲୋକେ ଅସୁରକ୍ଷିତ ମଣିବେ ବୋଲି କୁହାଯାଇଛି । ଏଭଳି ଏକ କ୍ଷୁଦ୍ର ଗ୍ରାମାଞ୍ଚଳରେ ଦୁଇ ଦୁଇଟି ସରକାରୀ ମଦ ଦୋକାନ ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି । ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଚଉଦକୁଲାଟ କଲେଜ, ଦଧିବାମାମନଜିଉ ମନ୍ଦିର ଥିବା ବେଳେ ଏହାଦ୍ୱାରା ଛାତ୍ରଛାତ୍ରୀ ଏବଂ ଜନସାଧାରଣ ପ୍ରଭାବିତ ହେବେ ବୋଲି କୁହାଯାଇଛି । ଏଣୁ ପ୍ରସ୍ତାବିତ ସରକାରୀ ଠିପି ଖୋଲା ମଦ ଦୋକାନ ଓ ବାର ଖୋଳାଯିବା ପ୍ରସ୍ତାବରୁ ସରକାର ଓହରି ଯିବାକୁ ଦୃଢ଼ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *