ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାମ ସାର
ବିଏମ୍ସିର ନୂଆ ବିଲ୍ଡିଂ ଓ ହବ୍ ପରିଦର୍ଶନ କଲେ ୫-ଟି ସଚିବ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସୋମବାର ସତ୍ୟନଗରରେ ନିର୍ମାଣାଧୀନ ବିଏମ୍ସିର ନୂଆ ବିଲଡିଂ ଏବଂ ଓ ହବ ପରିଦର୍ଶନ କରିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି । ନୂତନ ବିକାଶ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ଯ୍ୟର ଠିକ୍ ସମୟରେ ସମାପ୍ତ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ୍ ଓ ଡେଲୋଏଟ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନିଙ୍କର ଏତେ ବଡ଼ ବିକାଶ କେନ୍ଦ୍ର ଖୋଲିବା ଦ୍ୱାରା ଯୁବବର୍ଗ ପାଇଁ ବଡ଼ ଚାକିରି ସୁଯୋଗ ସୃଷ୍ଟି ହେବ । ଉଭୟ ବହୁରାଷ୍ଟ୍ରୀୟ କମ୍ପାନି ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି ଏବଂ ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାସହ ସେ ଭୁବନେଶ୍ୱର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ହବରେ ଦ୍ୱିତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି । ସେଠାରେ ଇନକୁ୍ୟବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ୫- ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଆଇଟି କମ୍ପାନିର ପାର୍କିଂ ସମସ୍ୟା ଦୂର ହେବ । ଏହି ପରିଦର୍ଶନ ସମୟରେ ଶ୍ରୀ ପାଣ୍ଡିଆନଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇ ଆଣ୍ଡ ଆଇଟି ସଚିବ ମନୋଜ ମିଶ୍ର, ବିଏସସିଏଲ ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ ଏବଂ ଇଡକୋର ପରିଚାଳନା ନିଦେ୍ର୍ଦଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।