୨୭ରେ ପ୍ରଥମ ଓଡ଼ିଶା ରୋଲ୍ ବଲ୍ ଲିଗ୍
ଭୁବନେଶ୍ୱର, ୨୨ା୮ (ବୁ୍ୟରୋ): ଓଡ଼ିଶା ରୋଲ୍ ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ତଥା ଓଡ଼ିଶା ସ୍କେଟିଂ ଏକାଡେମୀର ସହଯୋଗରେ ଅଗଷ୍ଟ ୨୭ରେ ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଆୟୋଜିତ ହେବ ପ୍ରଥମ ଓଡ଼ିଶା ରୋଲ୍ ବଲ୍ ଲିଗ୍ (ଓଆର୍ବିଏଲ୍) । ରାଜ୍ୟରେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି ଲିଗ୍ରେ ମୋଟ୍ ଆଠଟି ଟିମ୍ ଅଂଶଗ୍ରହଣ କରିବ ।
ରୋଲ୍ ବଲ୍ ଭାରତରେ ଉତ୍ପତ୍ତି ଲାଭ କରିଥିବାରୁ ଓ ଆନ୍ତର୍ଜାତିକ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ହୋଇଥିବାରୁ ଓଡ଼ିଶାରେ ଏହାକୁ ଅଧିକ ଲୋକପ୍ରିୟ କରିବା ଲାଗି ଆମେ ରୋଲ୍ ବଲ୍ ଲିଗ୍ ଆୟୋଜନ କରିବାକୁ ଯାଉଛୁ ବୋଲି ଆସୋସିଏସନ୍ର ଉପସଭାପତି ସତ୍ୟପ୍ରିୟ ଜୟସିଂହ କହିଛନ୍ତି ।
ରବିବାର ହୋଟେଲ୍ ସ୍ୱାଇଁ ହେରିଟେଜ୍ରେ ଖେଳାଳି ନିଲାମ ହୋଇଥିଲା । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ୧୫୦ରୁ ଅଧିକ ରୋଲ୍ ବଲ୍ ସ୍କେଟର୍ ଆବେଦନ କରିଥିଲେ । ସେଥି ମଧ୍ୟରୁ ୧୦୨ ଖେଳାଳି ବିଡିଂ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କରିଥିଲେ ।
ପୁରୀ ପେସର୍ସ ଟିମ୍କୁ ଏସ୍କର୍ଟ, ଭୁବନେଶ୍ୱର ବୁଲ୍ସ୍ ଟିମ୍କୁ ହିନ୍ଦୁସ୍ଥାନ ଜୁଏଲର୍ସ, ଅନୁଗୂଳ ଆଭେଞ୍ଜର୍ସ ଟିମ୍କୁ ଏସ୍ଜେ ଡେଭଲପର୍ସ, ରାଉରକେଲା ରକେଟ୍ସ ଟିମ୍କୁ ସ୍ୱାଇଁ ଗ୍ରୁପ୍, ବାଲେଶ୍ୱର ବିମର୍ସ ଟିମ୍କୁ ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’, କଟକ ସେଲ୍ଟିକ୍ସ ଟିମ୍କୁ ପିଏସ୍ ଗ୍ରୁପ୍, ବ୍ରହ୍ମପୁର ବ୍ଲେଜର୍ସ ଟିମ୍କୁ ଡେକାଥଲନ୍ ଏବଂ ସମ୍ବଲପୁର ସିମର୍ସ ଟିମ୍କୁ ପଣ୍ଡା ଲାଇଫ୍ଷ୍ଟାଇଲ୍ କିଣିଥିବା ଆସୋସିଏନ୍ର ସମ୍ପାଦକ ପାର୍ଥ ସାରଥି ଜେନା ସୂଚନା ଦେଇଛନ୍ତି । ପ୍ରତି ଟିମ୍ରେ ଉଭୟ ପୁରୁଷ ଓ ମହିଳା ଖେଳାଳି ରହିଛନ୍ତି ।