ନଦୀବନ୍ଧ ପାଲଟିଛି ଆଶ୍ରୟସ୍ଥଳ
ପୁରୀ/ଗୋପ (ବୁ୍ୟରୋ): ଜିଲ୍ଲାରେ ବନ୍ୟାର ତାଣ୍ଡବ । ବନ୍ୟାକୁ ୬ ଦିନ ବିତିଯାଇଥିଲେ ସୁଦ୍ଧା ବିପନ୍ନଙ୍କ ଦୁର୍ଦ୍ଦଶା କମିବାରେ ନାଁ ଧରୁନି । ନଦୀରେ ଜଳସ୍ତର କମିବାକୁ ଲାଗିଥିବା ବେଳେ ଗାଁ ଦାଣ୍ଡରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଜିଲ୍ଲାର ଦୟା, ମକରା, କୁଶଭଦ୍ରା ଓ ଧନୁଆର ବନ୍ୟାଜଳ ଜିଲ୍ଲାକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶେଷ ଭାବେ କଣାସ, ଡେଲାଙ୍ଗ, ଗୋପ, ନିମାପଡ଼ା, ପିପିଲି ଓ ଡେଲାଙ୍ଗ ଆଦି ବ୍ଲକ୍ରେ ୫ଶହରୁ ଊଦ୍ଧ୍ୱର୍ ଗ୍ରାମ ଏବେ ଜଳବନ୍ଦୀ । ସେମାନଙ୍କ ଲାଗି କେବଳ ସାହାଭରସା ପାଲଟିଛି ରିଲିଫ୍ । ହେଲେ ସେମାନଙ୍କ ସୁରକ୍ଷିତ ସ୍ଥାନ ଏବେ ନଦୀବନ୍ଧ । ହଜାର ହଜାର ବିପନ୍ନ ପରିବାର ନିଜର ଘରଦ୍ୱାର ଛାଡ଼ି ଜୀବନକୁ ରକ୍ଷା କରିବା ଲାଗି ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଏପରିକି ଦିନରେ ସେମାନେ ଟାଣଖରାର ଅସହ୍ୟ ଗୁଳୁଗୁଳି ଓ ରାତିରେ ମଶାଙ୍କ ଭିତରେ ଜୀବନ ବିତାଉଛନ୍ତି । ତାହାରି ମଧ୍ୟରେ ସୁ ସୁ ଗର୍ଜନ କରୁଥିବା ନିଶାର୍ଦ୍ଧ ରାତିରେ ଅଲୋଡ଼ା ସ୍ଥାନରେ ଆଶ୍ରୟ ନେଇଛନ୍ତି । ସକାଳେ ହେଲେ କେତେଜଣ ସରକାରୀ କର୍ମଚାରୀ ଶୁଖିଲା ଖାଦ୍ୟ ଦେଉଥିବା ବେଳେ ଅନ୍ୟ କେତେକ ସ୍ୱେଚ୍ଛାସେବୀ ଏବେ ସେମାନଙ୍କ ପାଇଁ ପାଲଟିଛନ୍ତି ଭଗବାନଙ୍କ ଦୂତ ।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମିଳୁଥିବା ଚୁଡ଼ା, ଗୁଡ଼ ଓ ରନ୍ଧନ ଖାଦ୍ୟ କେବଳ ସେମାନଙ୍କ ଜୀବନକୁ ଜୀଇଁ ରଖିବା ଲାଗି । କେବଳ ଭୋକ ବିକଳରେ ଖାଦ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ସେମାନଙ୍କ ମନରେ ଉତ୍ସାହ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅଞ୍ଚଳରେ । ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ଏବେ ଲୋକେ ଘରଦ୍ୱାର ଛାଡ଼ି ନଦୀବନ୍ଧାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ସହ ଗୋରୁଗାଈ ମଧ୍ୟ ସେ ନଦୀ ବନ୍ଧରେ ରହିଛନ୍ତି । ଫଳରେ ମଣିଷ ଓ ପଶୁ ଏକାକାର ହୋଇପଡ଼ିଛନ୍ତି ।
ଏନେଇ ସାଗର ବାରିକ ନାମକ ଜଣେ ବିପନ୍ନ କୁହନ୍ତି, ଜୀବନର ସବୁଠାରୁ ଦୁଃଖ ବଢ଼ିଗଲା ଏହି ୬ ଦିନ । କେଉଁ ଦିନ ପାଣି କମିବ ଘରକୁ ଫେରିବୁ ତାହାକୁ ଚାହିଁ ବସିଛୁ । ଉକ୍ତ ଘଟଣା କେବେ ବି ଜୀବନରୁ ଭୁଲିପାରିବୁ ନାହିଁ । ବନ୍ୟାର ଦାଉଠାରୁ ବଳିପଡ଼ିଛି ଖାଦ୍ୟ-ପାନୀୟ । ଏପରିକି ଭଲ ପାଣି ମଧ୍ୟ ମିଳୁନାହିଁ । ଦିନତମାମ ଟାଣ ଖରାକୁ ଓ ଅସହ୍ୟ ଗୁଳିଗୁଳିରେ ଦିନ କଟୁଥିବା ବେଳେ ରାତିରେ ମଶାଙ୍କ ଆକ୍ରମଣରେ ଆଉଟପାଉଟ ହେଉଛି । ୬ଦିନ ହେଲା ଭଲ ଭାବରେ ନିଦ ହୋଇନାହିଁ । ସେହିପରି ରାତିରେ ନଦୀ ବନ୍ଧରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଆଲୋକ ବ୍ୟବସ୍ଥା କରାଯାଉ ନାହିଁ । ଏପରିକି କିରାସିନି ମଧ୍ୟ ଦିଆଯାଉ ନାହିଁ । ଯାହାଫଳରେ ରାତି ଅତିବାହିତ କରିବା ବଡ଼ କଷ୍ଟକର ହୋଇପଡୁଛି । ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ତେଣୁ ବନ୍ୟାବିପନ୍ନଙ୍କ ନିକଟରେ ଆବଶ୍ୟକ ପରିମାଣର କିରାସିନି ଓ ପାଣି ପହଞ୍ଚାଇବା ଲାଗି ସାଧାରଣରେ ଦାବି ଜୋର୍ ଧରିଛି ।