ଧନୁଆ ନଦୀରେ ୨ ଘାଇ
ସାକ୍ଷୀଗୋପାଳ/ଗୋପ (ଆପ୍ର): ପୂର୍ବ ସତ୍ୟବାଦୀ ଅଞ୍ଚଳରେ ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ ନଳିତାପହଣ୍ଡି, ନନ୍ଦିଗୋରଡ଼ା ବାଲିବସ୍ତ ମାଇନର କେନାଲ ବନ୍ଧ ରାସ୍ତାରେ ବାଘାସିଂହ କଟ ଓ ଧନୁଆ ନଦୀ ବନ୍ଧର ପୋଡ଼ପଡା ଓ ଓରୁଆଳ ମଧ୍ୟରେ ୨ ଗୋଟି ଘାଇ ହୋଇଯାଇଛି । ଏହି ଘାଇ ଦ୍ୱୟ ଦେଇ ବନ୍ୟାଜଳ ସତ୍ୟବାଦୀ ବ୍ଲକ୍ର କେତକୀପାଟଣା ଓ ବଳରାମପୁରଗଡ଼ ପଞ୍ଚାୟତରେ ପ୍ରବେଶ କରିଛି । ଗତକାଲି ବନ୍ୟାଜଳ ଦୁବ ପାଟଣା ନାଏକ ସାହି ଓ ବାଲି ଉପର ହରିଜନ ସାହିରେ ପ୍ରବେଶ କରିଥିଲା । ଫଳରେ ଗ୍ରାମବାସୀ ଜଳବନ୍ଦୀ ହୋଇଥିଲେ । ଏହି ୨ ଗ୍ରାମର ବନ୍ୟାବିପନ୍ନ ୧୫୦ ରୁ ଊଦ୍ଧ୍ୱର୍ ବିପନ୍ନଙ୍କୁ ଦୁବପାଟଣା ବିଦ୍ୟାଳୟ ଓ ବିଶ୍ୱନାଥ ଦେଉଳି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ପ୍ରଦାନ କରାଯାଇଛି ।
ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅରକ୍ଷିତ ପ୍ରଧାନ, ପଞ୍ଚାୟତ ଅଧିକାରୀ ସୌଭାଗ୍ୟ କର, ଗ୍ରାମ ରୋଜଗାର ସେବକ ସୌଭାଗ୍ୟ କୁମାର ଦାସ, ସରପଞ୍ଚ ବିନତୀ ନାୟକ, ସମିତି ସଭ୍ୟ ସମ୍ପଦ ପରିଡ଼ା, ପୂର୍ବତନ ସରପଞ୍ଚ ବେଣୁଧର ପ୍ରଧାନ ଓ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରର ଆଗ୍ନିକମାନେ ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ । ଏହି ବିପନ୍ନମାନଙ୍କୁ ପ୍ରଶାସନ ତରଫରୁ ଦୈନିକ ୨ ଥର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ବିପନ୍ନ ଜନସାଧାରଣ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବିପନ୍ନ ପ୍ରାଣୀମାନଙ୍କୁ ଗୋ-ଖାଦ୍ୟ ପ୍ରଦାନ କରାଯାଇଛି ।