ବହୁ ଗାଁ ଜଳବନ୍ଦୀ
ବୈତରଣୀରେ ବନ୍ୟା କମୁଛି
ଭଣ୍ଡାରିପୋଖରୀ (ଆପ୍ର): ବୈତରଣୀ ନଦୀ ଜଳସ୍ତର ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ବିପଦସଙ୍କେତ ୧୭.୮୩ ମିଟର ତଳକୁ ଖସି ୧୭.୮୧ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ବର୍ଷା ହୋଇ ନ ଥିବା ଜଣାଯାଇଛି ।
ନଦୀରେ ଜଳପତ୍ତନ ହ୍ରାସ ପାଇଥିଲେ ମଧ୍ୟ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରିଥିବା ବନ୍ୟା ଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ ଆଦି ପଞ୍ଚାୟତର ଜଳବନ୍ଦୀ ହୋଇଛି । ଏହି ସବୁ ପଞ୍ଚାୟତର ହଜାର ହଜାର ଲୋକ ଓ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି । ବିଭିନ୍ନ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହି ଥିବାରୁ ଯୋଗାଯୋଗ ସ୍ୱାଭାବିକ ହୋଇପାରି ନାହିଁ । ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ଓ ପନିପରିବା ଚାଷ ବନ୍ୟା ଜଳରେ ଗତ ଆଠଦିନ ଧରି ବୁଡ଼ି ରହିଛି । ବନ୍ୟା ଜଳ ହ୍ରାସ ପାଇଥିବାରୁ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଛି । ଜଳ ନିଷ୍କାସନରେ ବିଳମ୍ବ ହେଉଥିବାରୁ ଚାଷବାସ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱଳ୍ପଦିନ ଅନ୍ତରରେ ଦୁଇଟି ବନ୍ୟା କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।