୫ ଦିନ ହେଲା ୧ଠ ପରିବାର ଜଳବନ୍ଦୀ
ଡେଲାଙ୍ଗ (ଆପ୍ର): ଚଳିତ ବନ୍ୟାରେ ଡେଲାଙ୍ଗ ବ୍ଲକ୍ର ପ୍ରାୟ ୫୦ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୮ହଜାରରୁ ଊର୍ଦ୍ଧ୍ୱ ପଶୁସମ୍ପଦ ବନ୍ୟା ପାଣିରେ ଜଳବନ୍ଦୀ ହୋଇ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ପଞ୍ଚାୟତରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ୩ଦିନ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲେ ହେଁ କେତେକ ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ବେପରୁଆ ମନୋଭାବ ତଥା ଦାୟିତ୍ୱହୀନତା ଯୋଗୁଁ ଅନେକ ବନ୍ୟା ପ୍ରପୀଡ଼ିତଙ୍କ ନିକଟରେ ଏହି ସୁବିଧା ପହଞ୍ଚି ନ ଥିବା ଅଭିଯୋଗ ମିଳିଛି ।
ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ନୂଆହାଟ ଗ୍ରାମର ୬ଟି ଦଳିତ ପରିବାର ଓ ୪ଟି ସବର୍ଣ୍ଣ ପରିବାରର ୫୦ ଲୋକ ୫ ଦିନ ଧରି ଜଳବନ୍ଦୀ ହୋଇ ପିଲାଛୁଆଙ୍କୁ ଧରି ଖୁବ୍ ଦୟନୀୟ ଅବସ୍ଥାରେ ରହିଛନ୍ତି । କିନ୍ତୁ ସେମାନଙ୍କ ପାଖରେ କୌଣସି ଶୁଖିଲା ଖାଦ୍ୟ ଅଥବା ରନ୍ଧା ଖାଦ୍ୟ ପହଞ୍ଚି ନାହିଁ ବୋଲି ପ୍ରଭାବିତ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ପାଖରେ କୌଣସି ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କ ଏହି ଦୁର୍ଦ୍ଦଶା ବିଷୟରେ କିଛି ପଚାରି ବୁଝିନାହାନ୍ତି ବୋଲି ଗ୍ରାମର ବିରଞ୍ଚି ନାରାୟଣ ପାଇକରାୟ, ଦାଶରଥି ପାଇକରାୟ, ସତ୍ୟପୀର ପାଇକରାୟ, ଭଗବାନ ବେହେରା, ରଞ୍ଜନ ବେହେରା, ବୈରାଗୀ ବେହେରା, ଦୟାନିଧି ବେହେରା, ମହେଶ୍ୱର ବେହେରା, ଶଙ୍କର ବେହେରା ଓ ଶାନ୍ତିଲତା ବେହେରା ପ୍ରମୁଖ ଆରୋପ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବନ୍ୟା ପ୍ରଭାବିତ ଲୋକଙ୍କ ଘର ସମ୍ମୁଖ ରାସ୍ତାରେ ସ୍ଥାନୀୟ ସରପଞ୍ଚ ଦିନକୁ ୪/୫ଥର ଯାତାୟାତ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ଦୁଃଖସୁଖରେ ସାମିଲ ହୋଇନାହାନ୍ତି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଖୋଦ୍ ବିଧାୟକ, ବିଡିଓ, ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ ପ୍ରମୁଖ ଘନ ଘନ ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ଭଲମନ୍ଦ ବିଷୟରେ ବୁଝୁଥିବାବେଳେ କଲ୍ୟାଣପୁର ପଞ୍ଚାୟତର ଏହି ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ ଲାଘବ ହେବା ଦିଗରେ ବିଧାୟକ ଓ ବ୍ଲକ୍ ପ୍ରଶାସନ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।