ଶୃଙ୍ଖଳା ପୋଛିଲା ରାହୁଲ ସେନା
ଲଢ଼େଇ କରି ହାରିଲା ଜିମ୍ବାୱେ
ହରାରେ, ୨୨ା୮ (ଏଜେନ୍ସି): ସିକନ୍ଦର ରଜାଙ୍କ ସାହସିକ ଶତକ ସତ୍ତ୍ୱେ ସୋମବାର ଜିମ୍ବାୱେ ଏକ ପ୍ରସିଦ୍ଧ ବିଜୟରୁ ବଞ୍ଚିତ ହୋଇଛି । ରଜାଙ୍କ ଇନିଂସ୍ ଉପରେ ଭାରୀ ପଡ଼ିଛି ଶୁଭମନଙ୍କ ଗିଲ୍ଙ୍କ କ୍ୟାରିଅରର ପ୍ରଥମ ଆନ୍ତର୍ଜାତିକ ଶତକ । ଭାରତ ତୃତୀୟ ତଥା ଶେଷ ଦିନିକିଆରେ ୧୩ ରନ୍ରେ ଆୟୋଜକ ଟିମ୍କୁ ହରାଇ ଶୃଙ୍ଖଳା ମୂଳପୋଛ କରିଛି ।
ଲୋକେଶ ରାହୁଲଙ୍କ ନେତୃତ୍ୱରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ଶୃଙ୍ଖଳା ବିଜୟ ଥିଲା । ଏଥି ସହ ଭାରତୀୟ ଟିମ୍ ପାକିସ୍ତାନର ଏକ ବଡ଼ ରେକର୍ଡର ସମକକ୍ଷ ହୋଇଛି । ପାକିସ୍ତାନ ଜିମ୍ବାୱେ ବିପକ୍ଷରେ ଏ ଯାବତ ୬୨ ମ୍ୟାଚ୍ ଖେଳି ୫୪ ମ୍ୟାଚ୍ ଜିତିଛି । ଭାରତ ମଧ୍ୟ ଏହି ଟିମ୍ ବିପକ୍ଷରେ ୫୪ ବିଜୟ ହାସଲ କରିଛି ।
ଗିଲ୍ ମ୍ୟାଚ୍ ଓ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେ ଶୃଙ୍ଖଳାରେ ୧୨୨.୫୦ ଆଭରେଜ୍ରେ ସର୍ବାଧିକ ୨୪୫ ରନ୍ ସଂଗ୍ରହ କରିଥିଲେ ।
ରଜା (୯୫ ବଲ୍ରୁ ୧୧୫ ରନ୍) ବ୍ରାଭ୍ ଇଭାନ୍ସ (୨୮)ଙ୍କ ସହଯୋଗରେ ଜିମ୍ବାୱେକୁ ମ୍ୟାଚ୍କୁ ଫେରାଇ ଆଣିବା ସହ ୪୯ତମ ଓଭର୍ ଯାଏଁ ଲଢ଼େଇ କରିଥିଲେ । ଶେଷ ତିନି ଓଭର୍ରେ ମ୍ୟାଚ୍ର ଦିଗ ବଦଳି ଯାଇଥିଲା ।
ଆୟୋଜକ ଟିମ୍କୁ ଜିତିବା ପାଇଁ ୧୮ ବଲ୍ରୁ ୩୩ ରନ୍ ଆବଶ୍ୟକ ଥିଲା । ୪୮ତମ ଓଭର୍ରେ ଅଭେଶ ଖାଁ ୧୬ ରନ୍ ଦେଇଥିଲେହେଁ ଅଷ୍ଟମ ୱିକେଟ୍ ଯୋଡ଼ିକୁ ଭାଙ୍ଗିଥିଲେ । ଷଷ୍ଠ ବଲ୍ରେ ଇଭାନ୍ସ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ରଜା ଓ ଇଭାନ୍ସଙ୍କ ମଧ୍ୟରେ ୧୦୪ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ ୧୨ ବଲ୍ରୁ ୧୭ ରନ୍ ଦରକାର ଥିବା ବେଳେ ୪୯ତମ ଓଭର୍ରେ ଶାର୍ଦ୍ଦୂଳ ଠାକୁର ମାତ୍ର ୨ ରନ୍ ଦେବା ସହ ରଜାଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ । ଶେଷ ଓଭର୍ରେ ଭିକ୍ଟର ନ୍ୟାଉଚି ବିନା ସ୍କୋର୍ରେ ଅଭେଶଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଜିମ୍ବାୱେ ଟିମ୍ ୪୯.୩ ଓଭର୍ରେ ୨୭୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।
ଜିମ୍ବାୱେ ୧୬୯ ରନ୍ରେ ୭ ୱିକେଟ୍ ହରାଇଥିଲା । ଇକୋସେଣ୍ଟ କାଇଆ (୬)ଙ୍କୁ ଆଉଟ୍ କରି ଦୀପକ ଚାହର ତୃତୀୟ ଓଭର୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲେ । ଏହାପରେ ତାକୁଦଜ୍ୱାନାଶେ କାଇତାନୋ ଓ ସିନ୍ ୱିଲିଅମ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୫ ରନ୍ର ଭାଗୀଦାରୀ କରିଥିଲେ । ୱିଲିଅମ୍ସ (୪୫) ଅକ୍ଷର ପଟେଲ୍ଙ୍କ ଶିକାର ହୋଇଥିଲେ । ଏହାପରେ ଟୋନୋ ମୁନୟୋଙ୍ଗା (୧୫) ଅଭେଶଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ରେଗିସ୍ ଚକାବଭା ୧୬, ତାକୁଦଜ୍ୱାନାଶେ କାଇତାନୋ ୧୩ ରନ୍ କରି ଯଥାକ୍ରମେ ଅକ୍ଷର ଓ କୁଲଦୀପ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ରିୟାନ୍ ବୁରି (୮) ଚାହର ଓ ଲୁ୍ୟକ୍ ଜଙ୍ଗୱେ (୧୪) କୁଲଦୀପଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ଅଭେଶ ସର୍ବାଧିକ ୩ଟି; ଚାହର, ଯାଦବ ଓ ପଟେଲ୍ ୨ଟି ଲେଖାଏଁ ଏବଂ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ ।
ଏଥି ପୂର୍ବରୁ ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭର୍ରେ ୮ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଥିଲା । ଗିଲ୍ ୯୭ ବଲ୍ରୁ ୧୫ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୧୩୦ ରନ୍ର ଇନିଂସ୍ ଖେଳିଥିବା ବେଳେ ଈଶାନ କିଶନ (୫୦) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାବନ ୪୦, ଅଧିନାୟକ ଲୋକେଶ ରାହୁଲ ୩୦, ସଞ୍ଜୁ ସାମ୍ସନ୍ ୧୫, ଠାକୁର ୯, ଦୀପକ ହୁଡ଼ା ୧, ପଟେଲ୍ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଚାହର ୧ ଓ ଯାଦବ ୨ ରନ୍ କରି ଅପରାଜିତ ଥିଲେ । ଜିମ୍ବାୱେ ପକ୍ଷରୁ ବ୍ରାଡ୍ ଇଭାନ୍ସ ସର୍ବାଧିକ ୫ ୱିକେଟ୍ ନେଇଥିଲେ ।
ଓପନିଂ ୱିକେଟ୍ରେ ୬୩ ରନ୍ ଯୋଗ ହୋଇଥିଲା । ୮୪ ରନ୍ ମଧ୍ୟରେ ଦୁଇ ଓପନର୍ଙ୍କ ୱିକେଟ୍ ପଡ଼ିବା ପରେ ଗିଲ୍ ଓ ଈଶାନ ମିଶି ୧୪୦ ରନ୍ର ଭାଗୀଦାରୀ କରିଥିଲେ ।
