କାନ୍ଥ ପଡ଼ି ବାଳିକା ସମେତ ୨ ମୃତ
ବାରିପଦା, ୨୧ା୮(ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ କାନ୍ଥ ପଡ଼ି ଏକ ନାବାଳିକା ସମେତ ୨ଜଣ ପ୍ରାଣ ହରାଇଛନ୍ତି ଓ ଜଣେ ଆହତ ହୋଇଥିବା କବର ମିଳିଛି । ରବିବାର ଅପରାହ୍ଣ ପ୍ରାୟ ୩ ଟା ସମୟରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୨୨ ନମ୍ବର ୱାର୍ଡ ରଘୁନାଥପୁର ଅଞ୍ଚଳରେ ମାଟି କାନ୍ଥ ଭୁଶୁଡ଼ି ଏକ ୧୦ ବର୍ଷ ଝିଅର ମୃତୁ୍ୟ ଘଟିଛି । ସଞ୍ଜୟ ବେହେରାଙ୍କ ଝିଅ ମୁନି ବେହେରା ବାରଣ୍ଡାରେ ଖେଳୁଥିବା ସମୟରେ ବର୍ଷାରେ ଭିଜି ଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା । ତାକୁ ଗୁରୁତର ଅବସ୍ଥାରେ ପିଆର୍ଏମ୍ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତୁ୍ୟ ଘଟିଛି ।
ମୁନିର ଅଜା ଜଳଧର ସ୍ୱାଇଁ କହିଛନ୍ତି, ଦୁଇ ଦୁଇ ଥର ଆବାସ ପାଇଁ ଆବେଦନ କରିଥିଲେ ସୁଦ୍ଧା ସଞ୍ଜୟଙ୍କୁ ଅଣଦେଖା କରାଯାଇଥିଲା । ଘର ଖଣ୍ଡେ ମିଳିଥିଲେ ଆଜି ନାତୁଣୀର ମୃତୁ୍ୟ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତିି । ସଞ୍ଜୟ ଜଣେ ଦିନମଜୁରିଆ ହୋଇଥିବାରୁ ତାଙ୍କ ସରକାରୀ ସହାୟତା ଓ ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅନ୍ୟ ଅଘଟଣ କପ୍ତିପଦା ଥାନା ଭେଜଡ଼ିହା ଗାଁରେ ଘଟିଛି । ଶନିବାର ରାତି ପ୍ରାୟ ୨ଟାରେ ଘରେ ଶୋଇଥିବା ଘାସିରାମ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ପିଲନ ମହାକୁଡ଼ଙ୍କ ଉପରେ କାନ୍ଥ ପଡ଼ିଥିଲା । କାନ୍ଥ ତଳେ ଉଭୟେ ଫସି ରହିଥିଲେ । ପଡ଼ୋଶୀ ଖବର ପାଇ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପିଲନଙ୍କ ମୃତୁ୍ୟ ଘଟିଥିଲା । ଘାସିରାମଙ୍କ ଛାତି ଓ ଶରୀର ଅନ୍ୟ ଅଂଶରେ ଗଭୀର ଆଘାତ ଲାଗିଛି । ଶୁକ୍ରବାର ଭୋର୍ରେ ବିଶୋଇ ବ୍ଲକ ଭୋଳବେଡ଼ା ଗାଁରେ କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତୁ୍ୟ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଭୟଙ୍କର ସ୍ଥିତି ଉତ୍ପନ୍ନ କରିଛି । ବର୍ଷା ସାଙ୍ଗକୁ ବନ୍ୟା ସାଧାରଣରେ ଆତଙ୍କ ଖେଳାଇ ଦେଇଛି ।