ସୁବର୍ଣ୍ଣରେଖା ବନ୍ୟାରେ ୧୧ ପଞ୍ଚାୟତ ପ୍ରଭାବିତ

ବାରିପଦା (ଆପ୍ର): ଉତ୍ତର ଓଡ଼ିଶାରେ ବର୍ଷା କମିଥିଲେ ବି ବନ୍ୟା ବିପଦ ସୃଷ୍ଟି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ଶନିବାର ବନ୍ୟା ସ୍ଥିତି ଦେଖା ଦେଇଥିଲା । ରବିବାର ଜଳସ୍ତର ହ୍ରାସ ପାଇଛି । ପ୍ରଭାବିତ ଲୋକେ ଘରକୁ ଫେରୁଛନ୍ତି । ଝାଡ଼ଖଣ୍ଡ ସହ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି । ଝାଡ଼ଖଣ୍ଡର ଗାଲୁଡ଼ିହା ବ୍ୟାରେଜ୍ରୁ ୬ ଗେଟ୍ ଖୋଲାଯିବାରୁ ସୁବର୍ଣ୍ଣରେଖାର ଜଳସ୍ତର ଡୋର ଲାଇନଠାରୁ ୪ ମିଟର ଉପରେ ପ୍ରବାହିତ ହେଉଛି । ଜାମଶୋଲା ପାଖରେ ଡୋର ଲାଇନ ୪୯.୧୫ ମିଟର ଥିବାବେଳେ ସତର୍କ ୪୮.୭୩ ମିଟର ରହିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ଜଳସ୍ତର ୫୩.୪୬ ମି. ଉପରେ ରହିଥିଲା । ରାଜଘାଟ ନିକଟରେ ଡୋର ଲାଇନ ୧୧.୧୭ ମିଟର ଓ ସତର୍କ ଲାଇନ ୯.୪୫ ମି. ରହିଥିବାବେଳେ ସନ୍ଧ୍ୟା ସୁଦ୍ଧା ୧୦.୧୭ ମିଟର ଉପରେ ଜଳ ପ୍ରବାହିତ ହେଉଛି । ସେଠାରେ ଜଳସ୍ତର ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି ।
ବନ୍ୟା ଯୋଗୁ ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ ୧୧ ପଞ୍ଚାୟତରେ ତିନି ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସାରସକଣା ବ୍ଲକ୍ର ନେଦା, ଶୀର୍ଷା, ରତିଲା, ବନଗାଁ, ବଙ୍ଗଲା ଗାଁରୁ ୭୦୦ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।
ଜମ୍ଭୀର ନଦୀ ନିକଟରେ ବାରିପଦା-ଝିଙ୍କିରୀଆ ଓ ସାରମୂଳା-ରାସଗୋବିନ୍ଦପୁର ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଛି । ରାସଗୋବିନ୍ଦପୁର ବ୍ଲକର ୪ ପଞ୍ଚାୟତ ପ୍ରଭାବିତଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଜାମଶୋଳା ନିକଟରେ ସୁବର୍ଣ୍ଣରେଖା ସନ୍ଧ୍ୟା ୬ଟାରେ ୫୩.୫୪ ମିଟର ଓ ୭ଟାରେ ୫୩.୪୪ ମିଟରରେ ପ୍ରବାହିତ ହୋଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବିଜେଡି ନେତା ଓ କର୍ମୀ ମଧ୍ୟ ବିପନ୍ନଙ୍କୁ ରିଲିଫ୍ ଓ ପାନୀୟ ଜଳ ଯୋଗାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *