ହାଇ ଆଲର୍ଟରେ ପଞ୍ଜାବ
ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଆସୁଛନ୍ତି । ମୋହାଲି ଠାରେ ନବନିର୍ମିତ ଟାଟା କ୍ୟାନସର ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଠିକ୍ ଦୁଇ ଦିନ ପୂର୍ବରୁ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପରିପ୍ରେକ୍ଷୀରେ ସତର୍କ ସୂଚନା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏହି ସତର୍କ ସୂଚନା ଜାରି କରାଯିବା ସହ ପଞ୍ଜାବ ସରକାର ରାଜ୍ୟରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରିଛନ୍ତି ।
କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ପକ୍ଷରୁୂ ପଞ୍ଜାବ ସରକାରଙ୍କୁ ଦିଆଯାଇଥିବା ଇନ୍ପୁଟ୍ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି (ଆଇଏସ୍ଆଇ) ପଞ୍ଜାବରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି । ଆତଙ୍କବାଦୀମାନେ ଚଣ୍ଡୀଗଡ଼ ଏବଂ ମୋହାଲି ବସ୍ ଷ୍ଟାଣ୍ଡ୍ରେ ଆକ୍ରମଣ କରିବାର ମସୁଧା କରୁଛନ୍ତି । କେବଳ ସେତିକି ନୁହେଁ ଏହି ଆତଙ୍କବାଦୀମାନେ ପଞ୍ଜାବର ପ୍ରାୟ ୧ଠ ରାଜନେତାମାନଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିବା ଗୁଇନ୍ଦା ରିପୋର୍ଟ ଦର୍ଶାଇଛି । ଏହି ୧ଠ ରାଜନେତାମାନଙ୍କ ମଧ୍ୟରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର୍ ରାନ୍ଧୱା, ପୂର୍ବତନ ମନ୍ତ୍ରୀ ଗୁରକୀରତ କୋଟ୍ଲି, ବିଜୟିନ୍ଦର୍ ସିଙ୍ଗଲା ଏବଂ ପରମିନ୍ଦର ପିଙ୍କିଙ୍କ ଭଳି ନେତାମାନେ ସାମିଲ ଅଛନ୍ତି । ଗୁଇନ୍ଦା ପକ୍ଷରୁ ଏହି ୧ଠଜଣଙ୍କ ନାମ ମିଳିବା ପରେ ଏମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ତେବେ ଆତଙ୍କବାଦୀମାନେ ରାଜନେତାଙ୍କୁ ଟାର୍ଗେଟ୍ କରିବା ପଛର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପଞ୍ଜାବର ରାଜନୈତିକ ପରିବେଶକୁ ନଷ୍ଟ କରୁଥିବା ଅଭିଯୋଗରେ ଏହି ୧ଠ ରାଜନେତାଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବେ ପଞ୍ଜାବ ପୁଲିସ୍ ଦିଲ୍ଲୀରୁ ୪ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏହି ୪ଜଣ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଆର୍ସ ଡଲ୍ଲା ଏବଂ ଅଷ୍ଟ୍ରେଲିଆର ଗ୍ୟାଙ୍ଗଷ୍ଟର ଗୁରଜଣ୍ଟ ଜଣ୍ଟାଙ୍କ ପାଇଁ କାମ କରୁଥିବା ଜାଣିବାକୁ ମିଳିଥିଲା । ଏମାନଙ୍କୁ ଜେରା କରାଯିବା ସମୟରେ ଆଗାମୀ କିଛି ଦିନ ମଧ୍ୟରେ ଦିଲ୍ଲୀ, ମୋହାଲି, ଚଣ୍ଡୀଗଡ ଏବଂ ମୋଗା ଆଦି ସହରରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ସୂଚନା ମିଳିଥିଲା । ସେହିପରି ଦେଶର କେତେକ ପ୍ରାନ୍ତରେ ଏମାନଙ୍କ ସଂଗଠନ ଟାର୍ଗେଟ୍ କିଲିଂ ଭଳି ପ୍ରକ୍ରିୟାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଥିବା ଜେରା ସମୟରେ ଏହି ୪ ଆତଙ୍କୀ କହିଥିଲେ । ପ୍ରକାଶ, ପଞ୍ଜାବ ଏବଂ ଏହାର ଆଖ ପାଖ ରାଜ୍ୟଗୁଡ଼ିକରେ ଯେତେ ସମ୍ଭବ ସେତେ ଆତଙ୍କବାଦୀ ଆକ୍ରମଣ କରିବାକୁ ଭିନ୍ନ ଭିନ୍ନ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଉପରେ ଆଇଏସ୍ଆଇ ଖୁବ୍ ଚାପ ପକାଉଥିବା ଗୁଇନ୍ଦା ବିଭାଗ ଦର୍ଶାଇଛି ।