ସ୍ୱତନ୍ତ୍ର ମାନ୍ୟତା ହରାଇବ ପିଓକେ
ଇସ୍ଲାମାବାଦ, ୨୧ା୮: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସ୍ୱତନ୍ତ୍ର ମାନ୍ୟତା ହରାଇବ । ପିଓକେରେ ୩୧ ବର୍ଷ ପରେ ନିର୍ବାଚନ ହେବ । ତା’ପୂର୍ବରୁ ଏହାକୁ ଏକ ପ୍ରଦେଶରେ ପରିଣତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଯୋଜନା କରିଛନ୍ତି ।
ପାକିସ୍ତାନ ସରକାରଙ୍କୁ ସମର୍ଥନ ଦେଇ ଆସୁଥିବା ଜମୀୟତ୍ ଉଲେମା-ଏ-ଇସ୍ଲାମା-ଫଜଲ୍ (ଜେୟୁଆଇ-ଏଫ)ର ଅଧ୍ୟକ୍ଷ ମୌଲାନା ଫଜଲୁର ରହମାନ୍ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ପାକିସ୍ତାନ କବ୍ଜାରେ ଥିବା କାଶ୍ମୀର ସ୍ଥିତି ବଦଳାଇବା ଯୋଜନା ଏବେ ବିଚାରାଧୀନ । ଯୋଜନା ଅନୁଯାୟୀ ପିଓକେକୁ ପାକିସ୍ତାନର ଏକ ପ୍ରଦେଶରେ ପରିଣତ କରିଦିଆଯିବ । ତେବେ ଏ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ଡନ୍ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପେଶାୱର୍ଠାରେ ଅନୁଷ୍ଠିତ ଜେୟୁଏଲ୍-ଏଫ୍ର ଦୁଇ ଦିନିଆ ସାଧାରଣ ପରିଷଦ ବୈଠକରେ ରହମାନ୍ କହିଛନ୍ତି ତାଙ୍କ ଦଳ ଏ ପ୍ରକାର ଯୋଜନାକୁ ବିରୋଧ କରିଛି ଏବଂ ସର୍ବଦଳୀୟ ସମ୍ମିଳନୀରେ ପିଓକେର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ କରାନଯିବା ପ୍ରସ୍ତାବ ପାସ୍ ହୋଇଛି ।
ପିଓକେରେ ୩୧ ବର୍ଷ ପରେ ଦଳୀୟ ଆଧାରରେ ଆସନ୍ତା ମାସରେ ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ନିର୍ବାଚନ ହେବ । ପରବର୍ତ୍ତୀ ସମୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଆକ୍ରାମକ ପ୍ରଚାର ଶହବାଜ ଶରିଫଙ୍କ ସଙ୍କଟ ବଢାଇଛି । ଏଭଳି ସ୍ଥିତିରେ ଶରିଫ କାଶ୍ମୀର କାଟ୍ ଖେଳିବାକୁ ଯାଉଛନ୍ତି । ସେ ମୋଦି ସରକାରଙ୍କ ପଦାଙ୍କ ଅନୁସରଣ କରି ପିଓକେର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରିବା ଯୋଜନାରେ ଅଛନ୍ତି ଯାହାଦ୍ୱାରା ଅନ୍ତର୍ଜାତିକ ଆଇନର ଉଲ୍ଲଂଘନ ହେବ । ତା’ର କାରଣ ପିଓକେର ସମଗ୍ର ଇଲାକା ଭାରତର ଯାହା ଆଜି ନହେଲେ ବି କାଲି ଭାରତକୁ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସଂସଦରେ ଭାରତ ପ୍ରଶାସିତ କାଶ୍ମୀରର ସ୍ୱାୟତ୍ତ ସ୍ଥିତିକୁ ରଦ୍ଦ କରିଦିଆଯାଇଛି । ସ୍ପେଶାଲ୍ ଷ୍ଟାଟସ୍ ଉଚ୍ଛେଦ ପୂର୍ବରୁ ଜାମ୍ମୁ-କାଶ୍ମୀରର ନିଜସ୍ୱ ସମ୍ବିଧାନ ଥିଲା । ସମ୍ବିଧାନର ଧାରା ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯାଇ ମୋଦି ସରକାର ଏଭଳି ପଦକ୍ଷେପ ନେବା ପରେ ପାକିସ୍ତାନ ତରଫରୁ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା । ତତ୍କାଳୀନ ପାକ୍ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ ।