ନକଲି ଜର୍ଦା କାରଖାନାରେ ଚଢ଼ଉ
ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ, ଜଣେ ଗିରଫ
ଧାମନଗର (ଆପ୍ର): ଧାମନଗର ଅଞ୍ଚଳରେ ମଦ, ଗଞ୍ଜେଇ ଓ ଧଳା ଜହର କାରବାର ବୃଦ୍ଧି ପାଉଥିବା ବେଳେ ରବିବାର ସନ୍ଧ୍ୟାରେ ଧାମନଗର ଥାନା ଅଧିକାରୀ ବନମାଳି ବାରିକ ଏକ ନକଲି ଜର୍ଦା କାରଖାନାରେ ଚଢ଼ଉ କରିଛନ୍ତି । ଚଢ଼ଉରେ ବିପୁଳ ନକଲି ଜର୍ଦ୍ଦା ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରାଯାଇ ଜଣକୁ ଗିରଫ କରାଯାଇଛି । ଚଢ଼ଉରେ ୨ ବସ୍ତା ଓ ୪ ବାଲତି ନକଲି ଜରଦା, କେମିକାଲ ବୋତଲ, ପିମ୍ପରମେଣ୍ଟ, ଜରି ୩ ବସ୍ତା, ଜରି ସିଲେଇ ମେସିନ୍, କଟର ମେସିନ୍, ଜର୍ଦ୍ଦା ଟିଣ ଆଦି ଜବତ କରାଯାଇଛି । ଘଟଣାସ୍ଥଳରୁ ଘର ମାଲିକ ଫେରାର ହୋଇଯାଇଥିବା ବେଳେ ନକଲି ଜର୍ଦ୍ଦା କାରବାର କରୁଥିବା ସେକ୍ ସାହିଲ୍ଙ୍କୁ ପୁଲିସ ଗିରଫ କରିଛି । ଏ ସମ୍ପର୍କରେ ଥାନା ଏଏସ୍ଆଇ ମୋନାଲିସା ପ୍ରଧାନଙ୍କ ଅଭିଯୋଗ କ୍ରମେ କେସ୍ ନଂ ୩୨୮/୨୨ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ପ୍ରକାଶ ଯେ, ଧାମନଗର ଥାନାରୁ ମାତ୍ର ୫ଶହ ମିଟର ଦୂର ହବିବିନଗରରେ ସେକ୍ ହାସିମ୍ ଦୀର୍ଘବର୍ଷ ଧରି ନିଜ ଡିଲକ୍ସ, ଗୋପାଳ, ବାବା ଓ ୫୫ ନକଲି ଜର୍ଦା ତିଆରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଅବକାରୀ ବିଭାଗ ଜାଣି ଅଜଣାପରି ଅଭିନୟ କରୁଛି । ହେଲେ ଏହି ସବୁ କଳା ବେପାର ପୁଲିସ ହାତକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଧାମନଗର ଥାନାରେ ନୂଆକରି ଯୋଗଦେଇଥିବା ଥାନାଧିକାରୀ ବନମାଳି ବାରିକ ବିଭିନ୍ନ ସମୟରେ ଚଢ଼ଉକରି ଚୋରା ବେପାରୀଙ୍କୁ ଧରୁଥିବା ବେଳେ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।