‘ସଂସ୍କୃତ ହିଁ ଭାରତର ହୃଦ୍ସ୍ପନ୍ଦନ’

ଉକ୍ରଳ ସଂସ୍କୃତ ଶିକ୍ଷକ ମହାସଂଘର ସଂସ୍କୃତ ମହୋତ୍ସବ
ବ୍ରହ୍ମପୁର (ବୁ୍ୟରୋ): ସନ୍ଦନହୀନ ଶରୀର ନିଷ୍ପ୍ରାଣ । ଠିକ୍ ସେପରି ସଂସ୍କୃତହୀନ ପରିବେଶ ସଂସ୍କାରହୀନ । ଏହି ସଂସ୍କାରରୁ ହିଁ ଏକତାର ସୃଷ୍ଟି । ସଂସ୍କୃତ ହିଁ ଭାରତକୁ ଏକତାସୂତ୍ରରେ ବାନ୍ଧି ରଖିଛି । ସଂସ୍କୃତ ମାଧ୍ୟମରେ ହିଁ ଭାରତ ଶ୍ରେଷ୍ଠତମ ମନୀଷା, ପ୍ରତିଭା, ଅମୂଲ୍ୟଚିନ୍ତନ, ରଚନାତ୍ମକ ପ୍ରଜ୍ଞାର ବିକାଶ ସମ୍ଭବ । ଉକ୍ରଳ ସଂସ୍କୃତ ଶିକ୍ଷକ ମହାସଂଘ ଗଞ୍ଜାମ ମଣ୍ଡଳ ଶାଖାର ‘ସଂସ୍କୃତ ଦିବସ ମହୋତ୍ସବ’ ଅବସରରେ ସଂସ୍କୃତର ପ୍ରଚାର ଓ ପ୍ରସାର ପାଇଁ ମଞ୍ଚାସୀନ ଅତିଥିଗଣ ଉପରୋକ୍ତ ମତବ୍ୟକ୍ତ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଂସ୍କୃତ ଭାଷା ମାନବକୁ ମାଧବରେ ପରିଣତ କରିଥାଏ ବୋଲି ମୁଖ୍ୟ ଅତିଥି ଦକ୍ଷିଣାଞ୍ଚଳ ପୁଲିସ୍ ଆଇଜି ସତ୍ୟବ୍ରତ ଭୋଇ କହିଥିଲେ । ରାମାଧିନ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନାଧ୍ୟକ୍ଷ ଡ.ଗଣେଶ ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା ଓ ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ସହାୟକାଚାର୍ଯ୍ୟ ଡ.ସୋମନାଥ ଦାଶ ସାରସ୍ୱତ ଅତିଥି ରୂପେ ଯୋଗଦେଇ ସଂସ୍କୃତକୁ ଅଧିକ ଲୋକପ୍ରିୟ କରିବା ନେଇ ମତବ୍ୟକ୍ତ କରିଥିଲେ । ଉକ୍ରଳ ସଂସ୍କୃତ ଶିକ୍ଷକ ମହାସଂଘର ସାଙ୍ଗଠନ ସମ୍ପାଦକ ସୁକାନ୍ତ କୁମାର କର, ଅମରେଶ୍ୱର ଆରକ୍ଷୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ସଭାପତି ସୀମାଞ୍ଚଳ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମାର୍ଗଦର୍ଶକ ଗୋପାଳକୃଷ୍ଣ ପାଢ଼ୀ ସଂଯୋଜନା କରିଥିଲେ । ସୂର୍ଯ୍ୟନାରାୟଣ ଶତପଥୀ ବେଦପାଠ ଓ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୩୦ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରୋତ୍ସାହନକ୍ରମେ ଗତ ୧୫ଦିନ ଧରି ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆୟୋଜିତ ସଂସ୍କୃତ ବକ୍ତୃତା ଓ ଶ୍ଲୋକାବୃତ୍ତି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶତାଧିକ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ନିତ୍ୟାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *