କାନ୍ଥପଡ଼ି ୫ ମୃତ
ବାରିପଦା/ କେନ୍ଦୁଝର/ କୋରାପୁଟ/ ବାଲିଆପାଳ, ୨୦ା୮ (ଆପ୍ର): ଦୁଇଦିନ ହେଲା ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ କାନ୍ଥ ପଡ଼ି ୨ ଜଣ ଶିଶୁ ଦୁଇ ବାଳକ/ବାଳିକା ଓ ମହିଳାଙ୍କ ସମେତ ୫ଜଣଙ୍କ ପ୍ରାଣହାନି ଘଟିଛି । ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡ଼ି ୨ ଭଉଣୀଙ୍କ ମୃତୁ୍ୟ ଘଟିଛି । କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା, କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ୨ ବାଳକ ବାଳିକା ପ୍ରାଣ ହରାଇଛନ୍ତି ।
ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ିବାରୁ କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡ଼ା ପଞ୍ଚାୟ ଟିକରପଡା ଗ୍ରାମର କୁହ୍ଲଚରଣ ବେହେରା ଗୁରୁତର ଥିବା ବେଳେ ତାଙ୍କ ପତ୍ନୀ ଦୂତିକା ବେହେରା ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୟୁରଭ ଜିଲ୍ଲାରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଶୁକ୍ରବାର ଭୋର ୩ ଟାରେ ବିଶୋଇ ବ୍ଲକ ଲୁହାକାନି ପଞ୍ଚାୟତର ଭୋଳବେଡ଼ା ଗାଁରେ କାନ୍ଥ ଭୁଶୁଡ଼ି ଅନିଲ ଗିରିଙ୍କ ଦୁଇ ଝିଅ ନିହାରିକା ଗିରି (୧୨) ଓ ସୁରୁ ଗିରି (୪)ଙ୍କ ର ପ୍ରାଣହାନି ଘଟିଛି । ଅନିଲ ଗିରିଙ୍କ ହାତ ଭାଙ୍ଗିଥିବା ବେଳେ ତାଙ୍କ ପତ୍ନୀ ରିତା ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି । ଶୋଇଥିବା ଅବସ୍ଥାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଫଳରେ ପରିବାର ଚାପି ହୋଇଯାଇଥିଲେ । ପଡୋଶୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ମେଡିକାଲରେ ଡାକ୍ତର ୨ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ।
ବର୍ଷା ପ୍ରଭାବରେ ବାଲେଶ୍ୱର ଜିଲ୍ଲା ବାଳିଆପାଳ ବ୍ଲକ ମଧୁପୁର ଗ୍ରାମରେ ପାଚେରି ଭାଙ୍ଗି ଏକ ୪ ବର୍ଷର ଝିଅ ମୃତୁ୍ୟବରଣ କରିଛି । ଆଉ ୨ ଶିଶୁ ଆହତ ହୋଇଛନ୍ତି । ମଧୁପୁର ସ୍କୁଲ ନିକଟରେ ସେକ୍ ଅନସର ସପରିବାର ରହୁଛନ୍ତି । ଗତ ବିଳମ୍ବିତ ରାତିରେ ରାତିରେ ସ୍କୁଲ ପାଚେରି ଉପରେ ଏକ ଗଛ ଭାଙ୍ଗି ପଡ଼ିଥିଲା । ଫଳରେ ଗଛ ସହିତ ପାଚେରି ଭାଙ୍ଗି ସେକ୍ ଅନସରଙ୍କ ଘର ଉପରେ ପଡ଼ିଥିଲା । ଅନସର, ତାଙ୍କ ପତ୍ନୀ ଓ ୩ ଛୁଆ ସମିନା ଖାତୁନ (୪), ଅମିନା ଖାତୁନ ଏବଂ ସେକ ଆରେନ ଚାପି ହୋଇଯାଇଥିଲେ । ସମସ୍ତଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସମିନାର ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯିବା ସମୟରେ ତା’ର ମୃତୁ୍ୟ ହୋଇଥିଲା । ରେଡ୍କ୍ରସ ପକ୍ଷରୁ ଅନସରଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
କୋରାପୁଟ ଜିଲ୍ଲାରେ ଗାଧୁଆ ଘର କାନ୍ଥ ଭୁଶୁଡ଼ି ୯ ବର୍ଷ ବାଳକର ମୃତୁ୍ୟ ଘଟିଛି । କୋରାପୁଟ ସହର ଉପକଣ୍ଠ ଗାନ୍ଧୀନଗରସ୍ଥିତ ନୂଆଁ ସାହିରେ ରହୁଥିବା ସୁମନ୍ତ କୁମାର ଭତ୍ରାଙ୍କ ବଡ଼ ପୁଅ ପ୍ରୀୟାଂଶୁ ସ୍ଥାନୀୟ ବିକାଶ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଥିଲା । ଶନିବାର ସକାଳୁଆ ସ୍କୁଲ ଥିବାରୁ ସେ ଭୋର୍ ୫ଟାରେ ଗାଧୋଇବାକୁ ଗାଧୁଆ ଘରକୁ ଯିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ପ୍ରୀୟାଂଶୁ କାନ୍ଥତଳେ ·ପି ହୋଇଯାଇଥିଲା । ଓଡ୍ରାଫ ଟିମ୍ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ସେତେବେଳକୁ ତା’ର ମୃତୁ୍ୟ ହୋଇସାରିଥିଲା । କୋରାପୁଟ ଟାଉନ ପୁଲିସ ତଦନ୍ତ ଚଳାଇଛି ଓ ସ୍ଥାନୀୟ କାଉନସିଲର ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।
ଏହାବ୍ୟତିତ ବାରିପଦାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ରାତିରେ ରାଇରଙ୍ଗପୁର ଉପଖଣ୍ଡରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗଛ ଭାଙ୍ଗି ଗମନାଗମନ ବିଛିନ୍ନ ହୋଇଛି । ବିଦୁ୍ୟତ୍ ସରବରାହ ବ୍ୟାହତ ହେବାରୁ ଶନିବାର ସହରରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ବାରିପଦା ସହରରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇ ୮ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ସହରରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏଥିସହିତ ସହର ମଧ୍ୟସ୍ଥ ୧୭ ନମ୍ବର ୱାର୍ଡ ଓ ତୁଳସୀ ଚଉରା ଅଞ୍ଚଳକୁ ଯାତାୟାତ ବିଛିନ୍ନ ହୋଇପଡିଛି । ଜିଲ୍ଲାର ୧୬ ବ୍ଲକରେ ୧୦୦ ମିମି ଲେଖାଏ ବର୍ଷା ହୋଇଛି ।