ୟୁପିଆଇ ପେମେଣ୍ଟରେ ଲାଗିବ ଚାର୍ଜ!
ନୂଆଦିଲ୍ଲୀ,୨୦ ।୮: ଟଙ୍କା ଦେଣନେଣ ପ୍ରଣାଳୀରେ ହୋଇଥିବା ବିପୁଳ ନିବେଶ ଓ ପରିଚାଳନା ଜନିତ ବ୍ୟୟ ଭରଣା କରିବାର ଉପାୟ ଖୋଜୁଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) । ଏହି କ୍ରମରେ ଡେବିଟ୍ କାର୍ଡ ଦେଣନେଣର ବିକଳ୍ପ ବ୍ୟବସ୍ଥା ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଟଙ୍କା ହସ୍ତାନ୍ତର ବା ଦେଣନେଣ ଉପରେ ଟିକସ ବସାଇବା ପ୍ରସ୍ତାବ ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ ।
ୟୁପିଆଇ ଭାରତରେ ଖୁବ୍ ଲୋକପ୍ରିୟ ହୋଇଛି । କାର୍ଡ ପେମେଣ୍ଟର ବିକଳ୍ପ ରୂପେ ପ୍ରଚଳିତ ହୋଇଥିଲା ୟୁପିଆଇ ପେମେଣ୍ଟ । ଡିଜିଟାଲ୍ ପେମେଣ୍ଟ ପାଇଁ ବିକଳ୍ପ ରୂପେ ଏହାକୁ ଲଞ୍ଚ କରାଯାଇଥିଲା । ଏହା ମାଧ୍ୟମରେ ଅତି ସହଜରେ ତଥା ମୁହୂର୍ତ୍ତକ ମଧ୍ୟରେ ଟଙ୍କା ପୈଠ କରାଯାଇ ପାରୁଥିବାରୁ କୋଟି କୋଟି ଭାରତୀୟ ୟୁପିଆଇ ପେମେଣ୍ଟକୁ ଆପଣାଇଛନ୍ତି । ଏପର୍ଯ୍ୟନ୍ତ ଏ ବ୍ୟବସ୍ଥାରେ ଟଙ୍କା ପୈଠ କରିବା ପାଇଁ ଲୋକଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନାହିଁ । କିନ୍ତୁ ଖୁବଶୀଘ୍ର ତାହା ବଦଳିଯିବ । ରିଜର୍ଭ ବ୍ୟାଙ୍କ ୟୁପିଆଇ ପେମେଣ୍ଟର ମନିଟାଇଜେସନ ପ୍ରସ୍ତାବ ଦେଇଛି ।
ରିଜର୍ଭ ବ୍ୟାଙ୍କର ଏହି ନୂଆ ପ୍ରସ୍ତାବରେ କୁହାଯାଇଛି ଯେ ୟୁପିଆଇ ପ୍ରଣାଳୀ ମାଧ୍ୟମରେ ହେଉଥିବା ଟଙ୍କା ଦେଣ-ନେଣ ପାଇଁ ଟିକସ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରାଯାଉଛି । ୟୁପିଆଇ ମାଧ୍ୟମରେ ପାଣ୍ଠି ହସ୍ତାନ୍ତର ଆଇଏମପିଏସ (ତକ୍ରାଳ ଟଙ୍କା ପୈଠ ସେବା) ଭଳି । ତେଣୁ ଆଇଏମ୍ପିଏସ୍ ଅନୁରୂପ ଶୁଳ୍କ ୟୁପିଆଇ ମାଧ୍ୟମରେ ଫଣ୍ଡ୍ ଟ୍ରାନ୍ସଫର ଉପରେ ଲାଗୁହେବା ଆବଶ୍ୟକ ।
ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଅନୁଯାୟୀ ୟୁପିଆଇ ପେମେଣ୍ଟ ଉପରେ ଅର୍ଥରାଶି ଆଧାରରେ ଭିନ୍ନ ଭିନ୍ନ ପରିମାଣର ଟିକସ ଲାଗୁ ହୋଇପାରେ ।
ଏହାଛଡ଼ା ଡେବିଟ୍ କାର୍ଡ ମାଧ୍ୟମରେ ଅର୍ଥ ନେଣ-ଦେଣ ପାଇଁ ଉଦ୍ଦିଷ୍ଟ ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍)କୁ ଆହୁରି କମାଇବା ପରିବର୍ତ୍ତେ ଏହା ଉପରେ ଶୁଳ୍କ ଲଗାଇବା ପ୍ରସ୍ତାବ ଦେଇଛି ରିଜର୍ଭ ବ୍ୟାଙ୍କ । ଡେବିଟ୍ କାର୍ଡ ପେମେଣ୍ଟ ଏପର୍ଯ୍ୟନ୍ତ ଶୁଳ୍କମୁକ୍ତ ରହିଛି । ଆଗାମୀ ଦିନରେ ଏହା ଉପରେ ଏକ ନିଶ୍ଚିତ ଟିକସ ଲଗାଇବାକୁ ରିଜର୍ଭ ବ୍ୟାଙ୍କ ଚାହୁଁଛି । ରାଷ୍ଟ୍ରୀୟ ଉଲେକ୍ଟ୍ରନିକ୍ ଫଣ୍ଡ୍ ଟ୍ରାନ୍ସଫର (ଏନ୍ଇଏଫ୍ଟି)ର ସଞ୍ଚାଳକ ରୂପେ ରିଜର୍ଭ ବ୍ୟାଙ୍କ ଏହାର ପରିଚାଳନାରୁ କୌଣସି ଆର୍ଥିକ ଲାଭ ନେଉନାହିଁ ।