ବୁଢ଼ାବଳଙ୍ଗ ଓ ବାଉଁଶରେ ବନ୍ୟା
ବୈଶିଙ୍ଗା (ଆପ୍ର): ଜିଲ୍ଲାର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ବୁଢ଼ାବଳଙ୍ଗ ନଦୀ ସହିତ ବୈଶିଙ୍ଗା ଥାନା ଅଧୀନ ମେରଦାଠାରେ ଥିବା ବାଉଁଶ ନବୀରେ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ନିକଟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବା ସହ ହେକ୍ଟର ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇଛି ।
ସୂଚନା ମୁତାବକ, ମେରଦା ପଞ୍ଚାୟତ ଅଧୀନ ବର୍ତ୍ତନା, ବୈଦପୁର, ଆଳଦିଆ ସମେତ ସାତପଉଟିଆ ଏବଂ ରଘୁପୁର ପଞ୍ଚାୟତ ଅଧୀନ ବେଲଡ଼ିହା ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଛି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଗତ ସପ୍ତାହରେ ଲଘୁଚାପଜନିତ ବର୍ଷା କାରଣରୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଟପି ନ ଥିଲେ ମଧ୍ୟ ତଳି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା । ମାତ୍ର ବର୍ଷା ଛାଡ଼ିବା ପରେ ଜଳବନ୍ଦୀରେ ଥିବା ଧାନ ଚାଷ କିଛି ମାତ୍ରାରେ କ୍ଷତି ହୋଇଥିଲା ।
ଆସନ୍ନ ବନ୍ୟାକୁ ଆଖି ଆଗରେ ରଖି ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡ଼ା ଟିମ୍ ସହିତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନାଖରା ପୋଲ ଉପରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ବେତନଟୀ ବ୍ଲକ୍ ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ସମିତି ସଭ୍ୟ ରାକେଶ ମହାପାତ୍ର, ପାଟଳିପୁରା ସରପଞ୍ଚ, ଆରଆଇ, ସ୍ୱାସ୍ଥ୍ୟ ଅଧିକାରୀ, ଯୋଗାଣ ଅଧିକାରୀ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଖରା ସ୍ଥିତ ଫୋର୍ଡର ସମ୍ପାଦକ ସନ୍ତୋଷ ଖଣ୍ଡା, ଅଶୋକ କୁମାର ପ୍ରଧାନ, ମିଟୁ ସାମଲ, ଜଗନ୍ନାଥ ଦାଶ, ଈଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରପୀଡ଼ିତଙ୍କ ପାଇଁ ଶୁଖିଲା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମହଜୁଦ୍ ରଖିବାକୁ ବିଡିଓ ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । ସେହିପରି ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରସ୍ତୁତ ରହିଥିବା ଜଣାଯାଇଛି । ଆବଶ୍ୟକ ପଡ଼ିଲେ ପାୱର ବୋଟ୍ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି । ବାରିପଦାରେ ବୁଢ଼ାବଳଙ୍ଗର ଜଳସ୍ତର କମୁ ଥିବାରୁ ତଳି ଅଞ୍ଚଳରେ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ବିଡିଓ କହିଛନ୍ତି ।
