୫ ଦିନ ହେଲା ଘରୁ ବାହାରିନାହାନ୍ତି ସହର ଉପକଣ୍ଠବାସୀ

ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରକୁ ବିଶ୍ୱଐତିହ୍ୟନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ସେଥିପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି ମହାପ୍ରଭୁଙ୍କ ଧାମକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ତାହାକୁ ସଠିକ୍ ଭାବେ କାର୍ଯ୍ୟ କରିବାରେ ଫେଲ୍ ମାରିଛି ।
ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ବରିଷ୍ଠ ଅଧିକାରୀ ମାଳମାଳ ରହିଥିବା ବେଳେ ବାସ୍ତବରେ କାର୍ଯ୍ୟ ଶୁନ୍ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚଳିତବର୍ଷ ବନ୍ୟାରେ । ବନ୍ୟା କିମ୍ବା ଲଘୁଚାପ ବର୍ଷା ହେଲେ ସହରର ଅବସ୍ଥା ସଙ୍ଗୀନ ହୋଇପଡୁଛି । ସହରରର ଉପକଣ୍ଠ ସମେତ ଜାତୀୟ ରାଜପଥ କଡ଼ରେ ରହିଥିବା ଅଧିବାସୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏପରିକି ହଜାର ହଜାର ପରିବାର ଦୀର୍ଘଦିନ ଧରି ପାଣିଘେରରେ ରହୁଛନ୍ତି । ସେମାନଙ୍କ ଘରେ ପାଣି ଜମି ରହିବା ଫଳରେ ସେମାନେ ଛାତ ଓ ଖଟ ଉପରେ ଆଶ୍ରୟ ନେଇଛନ୍ତି । ଏପରିକି ସେମାନଙ୍କ ନିକଟରେ ମଧ୍ୟ ପିଇବା ପାଣି ମୁନ୍ଦାଏ ନାହିଁ । ଫଳରେ କଲବଲ ହେଉଛନ୍ତି ପାଣିଘେରରେ ଥିବା ପରିବାର । ବିଶେଷ ଭାବେ ମୁକୁନ୍ଦମିଶ୍ରନଗର, ସୁଜାତାନଗର, ଖଣ୍ଡିଆବନ୍ଧ, ବାଲିଘାଟ ସିଂଘାରିବଗିଚା, ବିଶ୍ୱନାଥବିହାର, ଗୋପୀନାଥପୁର, ଡମରାବନ୍ଧ, ତଳନୂଆସାହି, ମଲ୍ଲିକସାହି, ମୈତ୍ରୀବିହାର, ଜଗନ୍ନାଥବିହାର, ନୀଳଚକ୍ରନଗର, ମାଟିତୋଟା ସମେତ ଅନେକ ଅଞ୍ଚଳରେ ଭାର୍ଗବୀର ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୫ ଦିନ ଧରି ଉକ୍ତ ଅଞ୍ଚଳର ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ।
ଏନେଇ ଜିଲ୍ଲାପାଳଙ୍କ ନିକଟରେ ଗୋପୀନାଥପୁର ସରପଞ୍ଚଙ୍କ ସମେତ ଗ୍ରାମବାସୀ ଓ ସୁଜାତାନଗର ବାସିନ୍ଦାଙ୍କ ସହ ଅନ୍ୟ ସାହିବାସିନ୍ଦାମାନେ ଅଭିଯୋଗ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସେମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଏହା ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବାସିନ୍ଦାମାନେ ଦାବି କରିଛନ୍ତି । ଫଳରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ସହରର ଉପକଣ୍ଠ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏହାକୁ ନେଇ ଜଣେ ମହିଳା ବାସିନ୍ଦା କୁହନ୍ତି ବର୍ଷାଦିନ ପୁରୀ ପାଇଁ ଅଭିଶାପ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *