ବିପନ୍ନଙ୍କ ଘରେ ରିଲିଫ୍ ପହଞ୍ଚାଅ

ପୁରୀ ଜିଲ୍ଲାର ବନ୍ୟା ସ୍ଥିତି ପରଖିଲେ ରାଜସ୍ୱ ମନ୍ତ୍ରୀ
ପୁରୀ (ବୁ୍ୟରୋ): ବନ୍ୟାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଏକ ସମୀକ୍ଷା ବୈଠକ ସର୍କିଟ ହାଉସ୍ ଠାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପାଣି ଛାଡ଼ିବା ପରେ ବିକଳ୍ପ ଚାଷ ପାଇଁ କମ୍ ଦିନିଆ ଧାନ ବିହନ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ । ଆବଶ୍ୟକତା ଅନୁସାରେ ପଲିଥିନ ବଣ୍ଟନ ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନଦୀ ବନ୍ଧଗୁଡ଼ିକୁ ନିୟମିତ ଯାଞ୍ଚ ସହ ବନ୍ଧରେ ଉଠୁଥିବା ଗଛ ଗୁଡ଼ିକୁ ସଫା କରାଗଲେ ଘଳିଆ ସମ୍ଭାବନା କମନ୍ତା ବୋଲି କହିବା ସହ ଖାଦ୍ୟ ଓ ଗୋ-ଖାଦ୍ୟର ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେ ଜଗତସିଂହପୁର ଲୋକସଭା ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପସଭାପତି ସ୍ୱାଧୀନ ନାୟକ, ପୁରୀ ସାଂସଦଙ୍କ ପ୍ରତିନିଧି ଧ୍ରୁବଚରଣ ଦାଶ ପ୍ରମୁଖ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବନ୍ୟା ଓ ବନ୍ୟା ପରବର୍ତ୍ତୀ ପରି·ଳନା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ସ୍ୱାଗତ ଓ ସୂଚନା ଦେବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର କଣାସ ବ୍ଲକ୍ର ମକରା ନଦୀରେ ଚୁପୁରିଙ୍ଗି ପଞ୍ଚାୟତର ପହିଲୁଣ୍ଡି ଗ୍ରାମ ନିକଟସ୍ଥ, ଜଟଣୀ ବ୍ଲକ୍ର ରାଜୁଆ ନଦୀର ହଳଦୀପଡ଼ା ଓ ଗୋପ ବ୍ଲକ୍ର କୁଶଭଦ୍ରା ନଦୀର ବେଦପୁର ପଞ୍ଚାୟତର ଖଣ୍ଡିଆକୁଦ ଠାରେ ଘାଇ ସୃଷ୍ଟି ହୋଇଛି । ଏହି ବନ୍ୟାରେ ଜିଲ୍ଲାର ମୋଟ ୧୧ ବ୍ଲକ୍ ମଧ୍ୟରୁ ୮ ବ୍ଲକ୍ର ୫୯ ପଞ୍ଚାୟତର ୨୫୮ ଗ୍ରାମର ୧, ୭୬, ୦୨୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ କଣାସ ବ୍ଲକ୍ ୬ ପଞ୍ଚାୟତର ୨୩ ହଜାର ୨୦୦ ଲୋକ, ଗୋପ ବ୍ଲକ୍ ୮ ପଞ୍ଚାୟତର ୨୭ ହଜାର ୯୧୫ ଲୋକ, ଡେଲାଙ୍ଗ ବ୍ଲକ୍ର ୯ ପଞ୍ଚାୟତର ୪୩ ହଜାର ୨୧୭ ଲୋକ, ପିପିଲି ବ୍ଲକ୍ର ୬ ପଞ୍ଚାୟତର ୪ ହଜାର ୨୪୦ ଲୋକ, ନିମାପଡ଼ା ବ୍ଲକ୍ର ୧୪ ପଞ୍ଚାୟତ ୪୪ ହଜାର ୬୫୯ ଲୋକ ଓ ଅସ୍ତରଙ୍ଗ ବ୍ଲକ୍ର ୨ ପଞ୍ଚାୟତର ୧୯୮ ଜଣ ଲୋକଙ୍କୁ ପ୍ରଭାବିତ କରିଛି । ୧୨ ହଜାର ୩୧୯ଜଣ ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି । ୩୯ ଟି ଆଶ୍ରୟ ସ୍ଥଳ ଖୋଲାଯାଇଛି, ୨୧ ପ୍ରସୂତିଙ୍କୁ ଚିକିତ୍ସାଳୟକୁ ପଠାଯାଇଛି । ପ୍ରଭାବିତଙ୍କୁ ୧୧୭୪.୨୩ କୁ୍ୟଣ୍ଟାଲ ଚୁଡ଼ା, ୧୧୧.୮୬ କୁ୍ୟଣ୍ଟାଲ୍ ଗୁଡ଼ ଓ ୧,୪୭,୭୪୪ ପାଣି ବୋତଲ, ୮୭.୫୫ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ, ୧୪୧୫ ପିସ୍ ପଲିଥିନ ବଣ୍ଟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍ର ୯୦ଟି ପଞ୍ଚାୟତର ୪୧୧ ଗ୍ରାମର ୨୩୬୩୫ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ସମୀକ୍ଷା ବୈଠକରେ ସୂଚନା ମିଳିଛି । ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ୍ ଦାୟିତ୍ୱ ଦିଆଯାଇଛି । ୩୨ଟି ଦେଶୀ ଡଙ୍ଗା ଓ ୨୬ଟି ଏସ୍ଆର୍ସି ବୋଟ ନିୟୋଜିତ କରାଯାଇଛି । ବାଲି ବସ୍ତା ଗଚ୍ଛିତ ସହ ନଦୀ ବନ୍ଧରେ ରାତ୍ରିକାଳୀନ ପାଟ୍ରୋଲିଂ, ୧୨ ମେଡିକାଲ୍ ଟିମ୍, ୫ଟି ପଶୁ ଚିକିତ୍ସା ଟିମ୍, ୨ଟି ଓଡ୍ରାଫ୍, ୩ଟି ଏନ୍ଡିଆରଏଫ୍ ଟିମ ୭ଟି ଅଗ୍ନିଶମ ଟିମ୍ଙ୍କୁ ମୁତୟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *