ମଧ୍ୟାହ୍ନଭୋଜନ ଖାଇ ୩୬ ଅସୁସ୍ଥ

୬ ଜଣ ସଙ୍କଟାପନ୍ନ
ଢେଙ୍କାନାଳ, ୧୯ା୮ (ଆପ୍ର): ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇ ୩୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିତ୍ସା କରାଯାଉଛି । ୬ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଖାଦ୍ୟ ଦାୟିତ୍ୱ ନେଇଥିବା ସ୍ୱୟଂସହାୟକ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦେଉଥିବା ନେଇ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଅବଗତ କରିଥିଲେ ମଧ୍ୟ ପ୍ରତିକାର କରାଯାଇ ନ ଥିବା ଅଭିଯୋଗ ହେଉଛି ।
କାମାକ୍ଷାନଗର ବ୍ଲକ ସୋଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପୋକରା ସୋୟାବଡ଼ି ତରକାରୀ ଦିଆଯାଇଥିଲା । ଏହାକୁ ଖାଇ ପିଲାମାନେ ବାନ୍ତି କରିବା ସହିତ ଅସୁସ୍ଥ ହୋଇପଡିଥିଲେ ।ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ୧୦୮ ଆମ୍ବୁଲାନସରେ ସ୍ଥାନୀୟ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ ଛାତ୍ର ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ଚିକିତ୍ସା ପରେ ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟିଛି ।
ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୪୫ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ଆଜି ୨୬୪ ଛାତ୍ର ଛାତ୍ରୀଙ୍କୁ ଭାତ ସହିତ ପୋକ ମିଶା ସୋୟାବଡ଼ି ତରକକାରୀ ଖାଇବାକୁ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟିତ୍ୱ ମହିମା ମା’ ହରଗୋ÷ରୀ ଏସ୍ଏଚ୍ଜିକୁ ଦିଆଯାଇଛି । ଏହି ଗୋଷ୍ଠୀ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ସହିତ ବିଭିନ୍ନ ସମୟରେ ପୋକ ମିଶା ସୋୟାବଡି ଦେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ବି କେହି କର୍ଣ୍ଣପାତ୍ କରୁନାହାନ୍ତି ।
ଅଖାଦ୍ୟ ଦେଇ ପିଲାଙ୍କ ଜୀବନ ସହିତ ଖେଳ ଖେଳା ଯାଉଥିବାରୁ ଉଦ୍ବେଗ ପ୍ରକାଶ ପାଇଛି । ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଚିନ୍ମୟ କୁମାର ସାମଲ କହିଛନ୍ତି, ପୋକଯୁକ୍ତ ସୋୟାବଡି ଖାଇବାରୁ ପିଲାମାନେ ଅସୁସ୍ଥ ହୋଇଛନ୍ତି ।
ପ୍ରଧାନଶିକ୍ଷୟତ୍ରୀ ମିତାଞ୍ଜଳୀ ବେହେରାଙ୍କ କହିଛନ୍ତି, ଏସ୍ଏଚ୍ଜି ଗ୍ରୁପ ନିମ୍ନମାନର ଖାଦ୍ୟ ପ୍ରଦାନ କରୁଥିବା ନେଇ ବାରମ୍ବାର ଅଭିଭାବକ, ଏସ୍ଏମ୍ସି କମିଟିରେ ମଧ୍ୟ ଆଲୋଚନା ହୋଇଛି । ଗୁପର ସଭାନେତ୍ରୀ ସ୍ନେହଲତା ସାହୁଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି । ଜିଲ୍ଳାପାଳ, ଉପଜିଲ୍ଲାପାଳ, ଜିଲ୍ଳା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରଙ୍କୁ ଅବଗତ କରାଗଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିମ୍ନମାନର ଖାଦ୍ୟ ଦେଉଥିବା ସଂପୃକ୍ତ ଏସ୍ଏସ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *