ଫସିଲେ ସିସୋଦିୟା

ଏକ୍ସସାଇଜ୍ ସ୍କାମ୍
ନୂଆଦିଲ୍ଲୀ, ୧୯ା୮: ଦିଲ୍ଲୀର ଏକ୍ସାଇଜ୍ ସ୍କାମ୍ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଓ ଆଇଏଏସ୍ ଅଫିସର୍ ଆରବ ଗୋପୀ କୃଷ୍ଣଙ୍କ ସରକାରୀ ବାସଭବନ ସମେତ ୭ ରାଜ୍ୟର ୨୫ ସ୍ଥାନରେ ସିବିଆଇ ଚଢ଼ଉ ଜାରି ରହିଛି । ସିବିଆଇର ୬ ଜଣ ଅଧିକାରୀ ଶୁକ୍ରବାର ସକାଳ ୮.୩୦ ବେଳେ ସିସୋଦିୟାଙ୍କ ବାସଭବନ (ଏ ୱିଙ୍ଗ୍ ଦିଲ୍ଲୀ ସଚିବାଳୟ)ରେ ଖାନ୍ତଲାସ ଆରମ୍ଭ କରିଥିଲେ । ସିସୋଦିୟା ପରିବାରର ସବୁ ସଦସ୍ୟଙ୍କ ଫୋନ୍ ଓ ଲାପ୍ଟପ୍ ଜବତ କରାଯାଇଛି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଓ ତତ୍ସମ୍ପୃକ୍ତ ଭ୍ରଷ୍ଟାଚାର ମାମଲାରେ ଖୁବ୍ଶୀଘ୍ର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଏଣ୍ଟ୍ରି କରିବା ସମ୍ଭାବନା ଅଛି । ସିବିଆଇ ଏତଲା ଓ ଅନ୍ୟାନ୍ୟ ଦସ୍ତାବିଜ୍ର କପି ଇଡି ମଗାଇଛି ।
ସିବିଆଇ ଚଢ଼ଉର ୨ଦିନ ପୂର୍ବରୁ ସିସୋଦିୟା ସମେତ ୧୫ ଜଣଙ୍କ ନାମରେ ସିବିଆଇ ଏତଲା ରୁଜୁ କରିଥିଲା । ଏତଲାରେ ଉଲ୍ଲେଖ ଅଛି ଯେ, ସିସୋଦିୟାଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଜନୈକ ମଦ ବ୍ୟବସାୟୀ ୧ କୋଟି ଟଙ୍କା ଦେଇଥିଲେ । ସିସୋଦିୟା ଓ ଅନ୍ୟ ୧୪ ଅଭିଯୁକ୍ତ ସରକାରୀ ଅଧିକାରୀମାନେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମଞ୍ଜୁରି ବିନା ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି ।
ଶୁକ୍ରବାର ସିବିଆଇ ଅଧିକାରୀମାନେ ସିସୋଦିୟାଙ୍କୁ ପଚାରିଥିଲେ- ମଦ ଠିକାଦାରମାନଙ୍କ ଠାରୁ ଲାଇସେନ୍ସ ଫିସ୍ ନିର୍ଦ୍ଧାରିତ ଫିସ୍ଠାରୁ କମ୍ ନିଆଯାଇଥିଲା କାହିଁକି? କେତେକଙ୍କଠାରୁ ଆଦୌ ଫିସ୍ ନିଆଯାଇ ନାହିଁ କାହିଁକି? ଅବକାରୀ ଅଧିନିୟମ ଅନୁଯାୟୀ କେବଳ ବିଦେଶୀ ମଦ ଉପରେ କିଛି ପ୍ରତିଶତ ରିହାତି ଦିଆଯାଇଥାଏ । କିନ୍ତୁ କାହା ସ୍ୱାର୍ଥରେ ମାତ୍ରାଧିକ ରିହାତି ଦିଆଯାଇଛି ଯଦ୍ୱାରା ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଅନୁଯାୟୀ ୧୪୬ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି?
୨୦୨୦ରେ ଦିଲ୍ଲୀ ସରକାର ନୂଆ ମଦ ନୀତି ପ୍ରଣୟନ କରାଯିବ ବୋଲି କହିଥିଲେ । ସେହି ବର୍ଷ ମେ’ରେ ବିଧାନସଭାରେ ନୂଆ ଅବକାରୀ ନୀତି ପେଶ୍ କରାଯାଇ ନଭେମ୍ବର ୨୦୨୧ରେ ତାହାକୁ ଲାଗୁ କରାଗଲା । ନିୟମ ଉଲ୍ଲଂଘନ ପୂର୍ବକ ଉପମୁଖ୍ୟମନ୍ତ୍ରୀ ସିସୋଦିୟାଙ୍କ ପାଖ ଲୋକମାନଙ୍କ ଇସାରାରେ ମଦ ଲାଇସେନ୍ସ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଅବକାରୀ ନୀତି ଲାଗୁ ପୂର୍ବରୁ ପ୍ରସ୍ତାବିତ ନୀତିକୁ କ୍ୟାବିନେଟ୍ ସମକ୍ଷରେ ଉପସ୍ଥାପନ କରାଯାଇ ଥାଏ । କ୍ୟାବିନେଟ୍ର ଅନୁମୋଦନ ପରେ ତାହାକୁ ମଞ୍ଜୁରି ପାଇଁ ଉପରାଜ୍ୟପାଳଙ୍କ ପାଖକୁ ପଠା ଯାଇଥାଏ । କିନ୍ତୁ ଏ କ୍ଷେତ୍ରରେ ଉକ୍ତ ପ୍ରକ୍ରିୟାକୁ ଉପେକ୍ଷା କରାଯିବା ସହ ଚାରିଟି ନିୟମର ଉଲ୍ଲଂଘନ କରାଯାଇଛି ।
ନଭେମ୍ବରରେ ଲାଗୁ ହୋଇଥିବା ନୂଆ ଅବକାରୀ ନୀତିର ଉଦେ୍ଦଶ୍ୟ ଥିଲା ଟେଣ୍ଡର ପରେ ମଧ୍ୟ ମଦ ବ୍ୟବସାୟୀମାନେ ଅନୁଚିତ ଲାଭ ପାଇ ପାରିବେ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରଣୟନ ଓ ତାହାକୁ ଲାଗୁ କରାଯିବାରେ ଯେଉଁ ବେନିୟମ କାର୍ଯ୍ୟ ହୋଇଛି, ସେଥିରେ ଓନ୍ଲି ମଚ୍ ଲାଉଡର ନାମକ ଏଣ୍ଟରଟେନ୍ମେଣ୍ଟ୍ ଓ ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ କମ୍ପାନୀର ପୂର୍ବତନ ସିଇଓ ବିଜୟ ନାୟର, ପରନୋଦ ରିଚାର୍ଡ କମ୍ପାନୀର ପୂର୍ବତନ କର୍ମଚାରୀ ମନୋଜ ରାୟ, ବ୍ରିଣ୍ଡ୍କୋ ସ୍ପିରିଟ୍ସର ମାଲିକ ଅମନଦୀପ ଧଳ ଏବଂ ଇଣ୍ଡୋସ୍ପିରିଟ୍ସର ମାଲିକ ସମୀର ମହେନ୍ଦ୍ରୁ ସାମିଲ ଥିଲେ । ବଡ୍ଡୀ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମର ଡିରେକ୍ଟର ଅମିତ୍ ଅରୋରା, ଦିନେଶ ଅରୋରା, ଅର୍ଜୁନ ପାଣ୍ଡେ ସିସୋଦିୟାଙ୍କ ଖାସ୍ ଲୋକ ଥିଲେ । ଏମାନେ ମଦ ଲାଇସେନ୍ସଧାରୀଙ୍କ ଠାରୁ ଟଙ୍କା ସଂଗ୍ରହ କରି ଅଭିଯୁକ୍ତ ଅଧିକାରୀମାନଙ୍କୁ ଦେଇଥିଲେ । ରାଧା ଇଣ୍ଡଷ୍ଟ୍ରିଜ୍ର ଦିନେଶ ଅରୋରା ସମୀର ମହେନ୍ଦ୍ରୁଙ୍କଠାରୁ ୧ କୋଟି ଟଙ୍କା ନେଇଥିଲେ । ଦିନେଶ ସିସୋଦିୟାଙ୍କ ପାଖ ଲୋକି । ବିଜୟ ନାୟରଙ୍କୁ ପ୍ରାୟ ୪ କୋଟି ଟଙ୍କା ଦିଆଯାଇଛି ବୋଲି ସିବିଆଇ ଏତଲାରେ ଦର୍ଶା ଯାଇଛି ।
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିବିଆଇ ଚଢ଼ଉ ପ୍ରସଙ୍ଗରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି, ସିସୋଦିୟାଙ୍କ ଘରୁ ସିବିଆଇକୁ ମିଳିବ କେବଳ ପେନସିଲ୍, ନୋଟ୍ ବୁକ୍ ଓ ଜେମୋଟ୍ରି ବକ୍ସ ମିଳିବ । ଆପ୍ ତଥା ଏହାର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ୍ଙ୍କ ରାଜନୈତିକ ଅଗ୍ରଗତିକୁ ରୋକିବା ଉଦେ୍ଦଶ୍ୟରେ ମୋଦି ସରକାର ସିବିଆଇ ରେଡ୍ କରାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *