୨୬/୧୧ ଭଳି ଆକ୍ରମଣ ଧମକ
ମୁମ୍ବାଇ ଟ୍ରାଫିକ୍ ପୁଲିସ୍କୁ ପାକ୍ ନମ୍ବରରୁ ହ୍ୱାଟ୍ସଆପ୍ ମେସେଜ୍
ମୁମ୍ବାଇ (ଏଜେନ୍ସି): ‘୨୬/୧୧ ଭଳି ମୁମ୍ବାଇରେ ପୁଣିଥରେ ଆକ୍ରମଣ କରାଯିବ । ଏଥିପାଇଁ ମୁମ୍ବାଇରେ ଆମର ୬ ଜିହାଦୀ ପହଞ୍ଚôସାରିଛନ୍ତି । ଅଜମଲ୍ କସବ୍, ଅଲ୍ ଜବାଇଙ୍କୁ ତ ମୁମ୍ବାଇ ପୁଲିସ୍ କେବେ ଭୁଲିନଥିବ । ଏମାନେ ୨୬/୧୧ରେ ଯେଉଁ ନରସଂହାର କରିଥିଲେ ଠିକ୍ ସେହିପରି ନରସଂହାର ପୁଣିଥରେ ମୁମ୍ବାଇ ଦେଖିବ । ନିକଟରେ ଉଦୟପୁରରେ ଯାହା କିଛି ଘଟିଗଲା ସେସବୁକୁ ମୁମ୍ବାଇ ପୁଲିସ୍ ମନେ ରଖିବା ଉଚିତ୍ । ଫୋନ୍ କଲ୍ ଟ୍ରେସ୍ କଲେ ଏହା ଭାରତ ବାହାରେ ଦେଖାଇବ । କିନ୍ତୁ ବଡ଼ ଧରଣର ବିସ୍ଫୋରଣ ମୁମ୍ବାଇରେ ହେବ ।’
ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପ୍ରକାର କିଛି ଧମକପୂର୍ଣ୍ଣ ମେସେଜ୍ ଏକ ପାକିସ୍ତାନୀ ମୋବାଇଲ୍ ନମ୍ବରରୁ ମୁମ୍ବାଇର ଟ୍ରାଫିକ୍ ପୁଲିସ୍ କଣ୍ଟ୍ରୋଲ ରୁମ୍ର ହ୍ୱାଟ୍ସଆପ୍ ନମ୍ବରକୁ ଆସିଛି । ଫଳରେ ଏହାକୁ ନେଇ ସମଗ୍ର ମୁମ୍ବାଇରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୁମ୍ବାଇ ପୁଲିସ୍ ଏହାକୁ ନେଇ ଆଲର୍ଟ ହୋଇଯାଇଛି ।
ମୁମ୍ବାଇ ପୁଲିସ୍ କମିଶନର ବିବେକ ଫଣସାଲ୍କର କହିଛନ୍ତି, କୌଣସି ପ୍ରକାର ଧମକକୁ ସେମାନେ ହାଲକା ଭାବେ ଗ୍ରହଣ କରିନଥାନ୍ତି । ଏବେ ମିଳିଥିବା ଆକ୍ରମଣ ଧମକ ପରିପ୍ରେକ୍ଷୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଟିଏସ୍, କ୍ରାଇମ୍ ବ୍ରାଞ୍ଚ୍ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କୁ ଏସମ୍ପର୍କରେ ଅବଗତ କରାଯିବା ସହ ସେମାନଙ୍କ ସହଯୋଗ ନିଆଯାଉଛି । ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରାଯିବା ସହ ଜେରା ଜାରି ରହିଛି । ଉପକୂଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ତଟରକ୍ଷୀ ବାହିନୀଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇସାରିଛି । ଏତଦ୍ବ୍ୟତୀତ ଏହି ଫୋନ୍କଲ୍ର ସତ୍ୟତା ଜାଣିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି ବୋଲି କମିଶନର କହିଛନ୍ତି । ସ୍ମରଣଯୋଗ୍ୟ, ୨ଠଠ୮, ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ପାକିସ୍ତାନରୁ ୧ଠ କୁଖ୍ୟାତ ଆତଙ୍କୀ ଭାରତରେ ପ୍ରବେଶ କରିଥିଲେ । ଏମାନେ ମୁମ୍ବାଇର ହୋଟେଲ ତାଜ୍, ଶିବାଜୀ ଛତ୍ରପତି ଟର୍ମିନାଲ ସମେତ ପ୍ରାୟ ୬ଟି ସ୍ଥାନରେ ନାରକୀୟ କାଣ୍ଡ ଘଟାଇଥିଲେ । ଏଥିରେ ୧୬୬ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୩ଠଠରୁ ଅଧିକ ଆହତ ହୋଇଥିଲେ ।