ବର୍ଷାରେ ଧୋଇଗଲା ପୋଲ
ଫୁଲବାଣୀ (ବୁରୋ) : ଫୁଲବାଣୀ ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ବର୍ଷା ଲାଗି ରହିଛି । ଦେରିଜଡ଼ି, ସାଲୁଙ୍କି ନଦୀ ସମେତ ନାଳଗୁଡ଼ିକରେ ବନ୍ୟା ଆସି ସମଗ୍ର ଜିଲ୍ଲା ବେହାଳ ହୋଇପଡ଼ିଛି । ପୋଲ ଓ କଲଭର୍ଟ ଧୋଇ ଯାଇ ଗମନାଗମନ ଠପ୍ ହୋଇଯାଇଛି ।
ଫୁଲବାଣୀ ସହରର ପିଅଡ଼ପଡ଼ା, ନୂଆସାହି ଓ ଦଧିବାବନ ସାହିରେ କଚ୍ଚା ଘର ଭାଙ୍ଗିଯାଇଛି ଓ ଘରେ ପାଣି ପସିଯାଇଛି । ଜିଲାରେ ହାରାହାରି ୧୩୫ ମିଲିମିଟର ବର୍ଷା ହୋଇଛି ଓ ଫିରିଙ୍ଗିଆ ବ୍ଲକରେ ସର୍ବାଧିକ ୨୧୧, ଟିକାବାଲିରେ ୧୯୬, ଚକାପାଦରେ ୧୯୦, ଫୁଲବାଣୀରେ ୧୬୮.୨, ବାଲିଗୁଡ଼ାରେ ୧୪୪, କୋଟଗଡ଼ରେ୧୩୬, କ. ନୂଆଗାଁରେ ୧୨୫.୩, ତୁମୁଡ଼ିବନ୍ଧରେ ୧୨୪.୨, ଘୂ. ଉଦୟଗିରିରେ ୮୪.୪, ରାଇକିଆରେ ୬୮.୪ ମିଲିମିଟର ଓ ଦାରିଙ୍ଗିବାଡିରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି ।
ବର୍ଷା ପ୍ରଭାବରେ ନଦୀରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ତୁମୁଡିବନ୍ଧ ବ୍ଲକର ସରଧାପୁର ନିକଟସ୍ଥ ପୋଲ ବନ୍ୟାରେ ଧୋଇଯାଇଛି । ଫଳରେ ଡଡଙ୍ଗ, ବେତବାଡି, ସରଧାପୁର ଆଦି ଅଞ୍ଚଳର ଲୋକେ ପ୍ରଭାବିତ ହୋଇଛନ୍ତି । ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ରପ୍ୱିଙ୍ଗିଆ -ଲାମପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ଯିବାରୁ ତବିନୀପଦର, ପଥରଖୋଲ, ଲାମପଦର ଆଦି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ବିଭିନ୍ନ ସ୍ଥାନରେ ୫୦ ରୁ ଊଦ୍ଧ୍ୱର୍ କଚ୍ଚାଘର ଭୁଶୁଡି ପଡିଥିବା ଖବର ମିଳିଛି । ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।