ଶୁଆର ଡେଣା ଏବେ ଗେରୁଆ

ସିବିଆଇ, ଇଡିିକୁ ସିବଲ୍ଙ୍କ କଡା ଭର୍ତ୍ସନା
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ ସିବଲ୍ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସିବଲ କହିଛନ୍ତି କେବେ ପଞ୍ଜୁରୀ ଭିତରେ ବନ୍ଦ ରହିଥିବା ଶୁଆ ଏବେ ମୁକ୍ତ ହୋଇଯାଇଛି । କେବଳ ମୁକ୍ତ ହୋଇନି, ତା’ର ଡେଣା ମଧ୍ୟ ଏବେ ଗେରୁଆ ରଙ୍ଗର ହୋଇଯାଇଛି । ଶୁଆ ଏବେ ସେଇଆ କରୁଛି, ଯାହା ତା’ ମାଲିକ କହୁଛି । ସମ୍ପ୍ରତି ସିବିଆଇ ଏବଂ ଇଡି ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ପରିପ୍ରେକ୍ଷୀରେ ଟ୍ୱିଟ୍ କରି ସିବଲ୍ ଏପରି ଲେଖିଛନ୍ତି ।
ସେହିପରି ଦିନକ ପୂର୍ବରୁ ଏକ ଟ୍ୱିଟ୍ କରି ସିବଲ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପ୍ରଶଂସା କରି ଲେଖିଥିଲେ ଯେ, ବର୍ତ୍ତମାନ ସମୟରେ କେଜରିୱାଲଙ୍କ ଉଦୟ ହେଉଛି । ଏହା ହିଁ ବିଜେପିକୁ ଅସ୍ତବ୍ୟସ୍ତ କରୁଛି । ଏଥିପାଇଁ ପ୍ରଥମେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ ଏବଂ ଏବେ ମନୀଷ ସିସୋଦିଆଙ୍କୁ ଟାର୍ଗେଟ୍ କରାଯାଇଛି । ତେବେ ଏହାକୁ ମିଶାଇ ଗତ ଦୁଇ ଦିନ ମଧ୍ୟରେ କପିଲ ସିବଲ୍ଙ୍କ ପକ୍ଷରୁ ଆସିଥିବା ଏପ୍ରକାର ୨ଟି ମନ୍ତବ୍ୟ ବିଜେପି, ସିବିଆଇ ଏବଂ ଇଡିକୁ ତୀବ୍ର କଟାକ୍ଷ ଭାବେ ବିବେଚନା କରାଯାଉଛି ।
ପ୍ରକାଶ, ୨ଠ୧୩ରେ ଏକ କୋଇଲା ଆବଣ୍ଟନଜନିତ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ବେଳେ ତକ୍ରାଳୀନ ପ୍ରଧାନ ବିଚାରପତି ଆରଏମ ଲୋଧା ସିବିଆଇକୁ ପିଞ୍ଜରାର ଶୁଆ ଭାବେ ଅଭିହିତ କରିଥିଲେ । ଏହା ସହିତ ସେ ପ୍ରଶ୍ନ କରିଥିଲେ ଯେ ପିଞ୍ଜରାରେ ଆବଦ୍ଧ ଥିବା ଶୁଆକୁ ମୁକ୍ତ କରିବା ପାଇଁ କେତେ ସମୟ ଲାଗିବ? ଏବେ ସିବିଆଇକୁ ପୁଣିଥରେ ପଞ୍ଜୁରି ବନ୍ଦ ଶୁଆ ମୁକ୍ତ ହୋଇଥିବା ନେଇ ତାତ୍ସଲ୍ୟ କରିଛନ୍ତି କପିଲ ସିବଲ୍ । ଅନ୍ୟପକ୍ଷେ କପିଲ ସିବଲ୍ ବିରୋଧୀ ଦଳଙ୍କୁ ମଧ୍ୟ ନିଜ ବାର୍ତ୍ତା ମାଧ୍ୟମରେ ବିଜେପିକୁ ଅସ୍ଥିର କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଦର୍ଶାଇବାର ଚେଷ୍ଟା କରିଛନ୍ତି ।
ପ୍ରକାଶ, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ପାଇଁ ସିବିଆଇ ଗୁରୁବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ଚଢ଼ଉ କରିଛି । ତେବେ ଚଢ଼ଉ କାଳରେ ସିବିଆଇକୁ ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ କିମ୍ବା ଅନ୍ୟ ପ୍ରମାଣ ମିଳିନାହିଁ । ଅନ୍ୟପକ୍ଷେ ଏହି ମାମଲାରେ ଏବେ ଇଡି ମଧ୍ୟ ସିସୋଦିଆଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *