ଯାତ୍ରୀଙ୍କୁ ମିଳୁନି ମୌଳିକ ସୁବିଧା
ସମସ୍ୟାରେ ଜର୍ଜରିତ ଘରୋଇ ବସ୍ଷ୍ଟାଣ୍ଡ
ଆସିକା (ଆପ୍ର): ନାନା ସମସ୍ୟାରେ ଘାଣ୍ଟି ହେଉଛି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଘରୋଇ ବସ୍ଷ୍ଟାଣ୍ଡ । ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗରର ପକ୍ଷରୁ ନିର୍ମିତ ବସ୍ଷ୍ଟାଣ୍ଡ୍କୁ ଗତ ୨୦୧୧, ଅକ୍ଟୋବର ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିବା ବେଳେ ୧୦ ବର୍ଷ ପରେ ବି ଅଦ୍ୟାବଧି ଯାତ୍ରୀଙ୍କ ମୌଳିକ ସୁବିଧା ପ୍ରତି ଧ୍ୟାନ ଦିଆଯାଇ ନାହିଁ । ବସ୍ଷ୍ଟାଣ୍ଡର ଚର୍ତୁପାଶ୍ୱର୍ରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ସଞ୍ଜ ନଇଁଲେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏହି ବସ୍ଷ୍ଟାଣ୍ଡରୁ ଦୈନିକ ଭୁବନେଶ୍ୱର, ବ୍ରହ୍ମପୁର, ରାଉଲକେଲା, ଦୁର୍ଗାପୁର, ରାୟପୁର ସମେତ ରାଜ୍ୟର ବହୁ ଅଞ୍ଚଳକୁ ଦୈନିକ ଶତାଧିକ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ମିନିବସ୍ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଉଛି । ଗଞ୍ଜାମ ଆଞ୍ଚଳିକ ଉନ୍ନୟନସଂସ୍ଥା ଭଞ୍ଜନଗର ମଧ୍ୟ ଆସିକା ଘରୋଇ ବସ୍ଷ୍ଟାଣ୍ଡରୁ ଘରଭଡ଼ା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବାବଦକୁ ହଜାର ହଜାର ଟଙ୍କା ପାଉଛି । କିନ୍ତୁ ବସ୍ଷ୍ଟାଣ୍ଡର ଭିତ୍ତିଭୂମି ବିକାଶ ଦିଗରେ ଧ୍ୟାନ ଦେଉନଥିବା ଗୁରୁତର ଅଭିଯୋଗ ହେଉଛି ।
ବସ୍ଷ୍ଟାଣ୍ଡ କୋଠାକୁ ମରାମତି କରିବା ତ ଦୂରର କଥା ସୌନ୍ଦର୍ଯ୍ୟକରଣ ପାଇଁ ଚୂନ ପକା ନ ପକାଇବା ଘଟଣା ଅତ୍ୟନ୍ତ ପରିତାପର ବିଷୟ ବୋଲି ଆଲୋଚିତ ହେଉଛି । ଏପରିକି ବସ୍ ଚଳାଚଳ କରୁଥିବା ଘରୋଇ ବସ୍ଷ୍ଟାଣ୍ଡର ବିଭିନ୍ନ ରାସ୍ତା ଫାଟି ଖାଲଖମା ହେଉଥିଲେ ମଧ୍ୟ ସେଗୁଡିକ ମରାମତି କରାଯାଉନାହିଁ । ସାମାନ୍ୟ ବର୍ଷାରେ ବର୍ଷାପାଣି ଜମି ରହି କୃତି୍ରମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଭଞ୍ଜନଗର କର୍ତ୍ତୃପକ୍ଷ ଏଡି ବସ୍ଷ୍ଟାଣ୍ଡରୁ ମାସିକ ଲକ୍ଷାଧିକ ରାଜସ୍ୱ ପାଉଥିଲେ ମଧ୍ୟ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବସ୍ଷ୍ଟାଣ୍ଡର ବହୁବିଧ ସମସ୍ୟା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି ।