ଧୁମଧାମରେ ହେବ ବାଲିଯାତ୍ରା
କଟକ (ବୁ୍ୟରୋ): କଟକ ବାଲିଯାତ୍ରାକୁ ଜାତୀୟସ୍ତର ଉତ୍ସବର ମାନ୍ୟତା ଦେବା ନିମନ୍ତେ ଆଜିଠୁ ଅଣ୍ଟା ଭିଡ଼ିଲାଣି ଜିଲ୍ଲା ପ୍ରଶାସନ । ବାଲିଯାତ୍ରାର ପ୍ରଚାରପ୍ରସାର କରିବା ପାଇଁ ପ୍ରଶାସନ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଯୋଗ ଦେଇ କହିଥିଲେ ଯେ, ଚଳିତ ବର୍ଷ ଆସନ୍ତା ନଭେମ୍ବର ୮ରୁ୧୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏନେଇ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ଚଳିତ ବର୍ଷ ବାଲିଯାତ୍ରା ୧୦୦ ଏକର ପରିମିତିରେ ନିର୍ଦ୍ଧାରିତ ସ୍ଥାନରେ ଆୟୋଜିତ ହେବ । ହାଡ଼ିଆପଠାରେ ବାଲିପାତିବା ଦ୍ୱାରା ସୃଷ୍ଟି ହୋଇଥିବା ନୂତନ ଜାଗାକୁ ନେଇ ଏଥର ବାଲିଯାତ୍ରାର ଆକାର ବଢିବ ଯାହା ବାଲିଯାତ୍ରାରେ ବ୍ୟବହାର କରାଯିବ ବୋଲି କହିଛନ୍ତି ।
କୋଭିଡ଼ ମହାମାରୀ ହେତୁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନସମାଗମ ହେବ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯିବ । ଯେପରିକି ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ବିଦୁ୍ୟତକରଣ, ପରିମଳ ବ୍ୟବସ୍ଥା ସମସ୍ତ ପ୍ରମୁଖ ଦିଗଉପରେ ଉନ୍ନତମାନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଷ୍ଟଲ ଆବଣ୍ଟନ ଏବଂ ଖାଦ୍ୟ ନିରାପତ୍ତା ଏବଂ ଫାୟାର ସ୍ଫ୍ଟେି ଅନୁମତି ପତ୍ର, ଅସ୍ଥାୟୀ ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ବାବଦର ସମସ୍ତ ଦାୟିତ୍ୱ ସିଏମସି ନିର୍ବାହ କରିବ ବୋଲି ସିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ବାଲିଯାତ୍ରା ଉତ୍ସବ ଆୟୋଜନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବ । ଚଳିତ ବର୍ଷ ୧୭ଟି ଲୋକ ସଂସ୍କୃତି ଗ୍ରୁପକୁ ବାଲିଯାତ୍ରାରେ ସାମିଲ କରାଯାଇଛି । ମହାନଦୀ ଆଳତି ସହିତ ଯୋଗ ଶିବିର ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯିବ । ତେବେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ୱାଟର ସ୍ପୋର୍ଟସ । ଦର୍ଶକମାନେ ଫ୍ଲାଟିଂ ରେଷ୍ଟୁରାଣ୍ଟର ମଜା ନେବା ସହିତ ଜଳକ୍ରୀଡ଼ାର ଆନନ୍ଦ ଉଠାଇବେ । ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳଙ୍କ ସମେତ ସିଡିଏ ଚେୟାରମ୍ୟାନ, ଆରଡିସି, ସିଏମସି କମିଶନର, ସଂସ୍କୃତି ବିଭାଗ ନିଦେ୍ର୍ଦଶକ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।