ନାଉଗାଁ ବ୍ଲକ୍‌ରେ ଶହଶହ ହେକ୍ଟର ଜଳମଗ୍ନ

ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍‌ର ୧୬ ପଞ୍ଚାୟତରେ ୭ ହଜାର ୫୦ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଏ । ଚଳିତ ବର୍ଷ ନିଅଁଟିଆ ବର୍ଷା ଯୋଗୁ ଚାଷ ପଛାଇ ଥିଲା । ତେବେ ଧାନ ରୋଇବା ପାଇଁ ତଳି ପକାଯାଇଥିଲା । ଲଗାଣ ବର୍ଷା ଯୋଗୁ ବ୍ଲକ୍‌ର ୧ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଚାଷ ଜମି ଜଳମଗ୍ନ ହୋଇଥିବା କୃଷି ବିଭାଗ କାର୍ଯ୍ୟାଳୟରୁ ଜଣା ପଡିଛି । ନଦୀ ବନ୍ଧ ଭାଙ୍ଗି ନଥିଲେ ବି ଅନେକ ପଞ୍ଚାୟତର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଏହି ବ୍ଲକ୍‌ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟା ଆସି ବଛାଳୋ ପଞ୍ଚାୟତର ବ୍ରାହ୍ମଣୀ ଗାଁ ଓ ପୋକାମୂଳ ବାହ୍ୟ ଜଗତରୁ ବିଚ୍ଚିନ୍ନ ହୋଇଯାଇଛି । ୮୦ ରୁ ଊଦ୍ଧ୍ୱର୍ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାମକୁ ଡଙ୍ଗା ସହିତ ରିଲିଫ, ପଲିଥିନ ଆଦି ଯୋଗାଇ ଦିଆଯାଇଛି ।
ବର୍ଷା ଯୋଗୁ ଡାବର, ତିରୁଣା, କୋରୁଅ, ଡେରିକି, ଶିଖର, ବଛାଳୋ, ଜାମୁଗାଁ, ଅଲଣା, ନାଉଗାଁ, ଓଷକଣା, ବାଂଶ, ଘୋଡାଂଶ ଆଦି ପଞ୍ଚାୟତରେ ବର୍ଷା ପାଣି ଜମି ରହିଛି । ସାଧାରଣତଃ ଏହି ପାଣି ବାଉଁଶ ଜୋର ଓ ଗୋବରୀ ନାଳ ଦେଇ ଦେବୀ ନଦୀକୁ ନିଷ୍କାସିତ ହୋଇଥାଏ । ଦେବୀନଦୀରେ ବନ୍ୟା ପାଣି ଭରି ରହିଥିବାରୁ ଦୁଇ ନାଳ ଦେଇ ଜଳ ନିଷ୍କାସନ ହୋଇପାରୁ ନାହିଁ । ଯାହାଫଳରେ ଚାଷ ଜମିରେ ୩ ଫୁଟ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଖାଲୁଆ ସ୍ଥାନରେ ଘରକରିଥିବା ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି । ନଡା ଗଦା ବୁଡି ଥିବାରୁ ଗୃହପାଳିତ ପଶୁ ଖାଦ୍ୟ ପାଇବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ଧାର ଉଧାର କରି ଚାଷ କାର୍ଯ୍ୟ କରିଥିବା ବେଳେ ପାଣି କାଳ ସାଜିଛି । ତଳି ପଚିଯିବାରୁ ଧାନ ରୋଇବା ଆଉ ସମ୍ଭବ ନୁହେଁ ବୋଲି ଚାଷୀ ଦିବାକର ଦାସ, ପରେଶ ମଲ୍ଲିକ, ନିରଞନ ସାହୁ, ରାକେଶ ଦାସ ପ୍ରମୁଖ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *