କମିଛି ପାଣି, ବଢ଼ିଛି ଦୁର୍ଦ୍ଦଶା
ପୁରୀ ଜିଲ୍ଲାରେ ବନ୍ୟାର ପ୍ରଭାବ
ପୁରୀ (ବୁ୍ୟରୋ): ବନ୍ୟା ପାଣି କମିଛି, ହେଲେ କମିନି ଯନ୍ତ୍ରଣା ଓ ଦୁର୍ଦ୍ଦଶା । ବନ୍ୟାକୁ ୪ଦିନ ବିତିଯାଇଥିଲେ ସୁଦ୍ଧା ଏବେ ବି ଜିଲ୍ଲାର ଅନେକ ଗାଁ ପାଣିଘେରରେ ରହିଛି । ଖାଇବା ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଖାଦ୍ୟ ଖାଇବା ଲାଗି ମଧ୍ୟ ଉତ୍ତମ ସ୍ଥାନ ମିଳୁନାହିଁ । ପିଇବା ପାଣି କଥା ନ କହିବା ଭଲ । ଶୋଷ ମେଣ୍ଟାଇବା ପାଇଁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଆବଶ୍ୟକତା ପୂରଣ କରିପାରୁ ନାହିଁ । ଏପରିକି ଦୀର୍ଘ ଦିନ ଧରି ଦୂଷିତ ପାଣି ନିକଟରେ ରହିବା ଫଳରେ ନାନା ରୋଗରେ ଆକ୍ରାନ୍ତ ହେବାକୁ ଲାଗିଲେଣି ବନ୍ୟା ପ୍ରପୀଡ଼ିତ । କେଉଁଠି ଜ୍ୱର, କାଶ ବ୍ୟାପୁଛି ତ ଅନ୍ୟ କେଉଁଠି ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି । ମାତ୍ର ଏଥିପ୍ରତି ପ୍ରଶାସନ ତିଳେମାତ୍ର ନଜର ଦେଉ ନ ଥିବାରୁ ବନ୍ୟା ପ୍ରଭାବିତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଲାଣି ।
ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଉଥିବା ବେଳେ ବାସ୍ତବରେ କାର୍ଯ୍ୟ କିପରି ଚାଲିଛି ତାହାକୁ ତଦାରଖ କରିବାକୁ କେହିନାହାନ୍ତି । ଫଳରେ ଗ୍ରାମାଞ୍ଚଳରେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ଲୋକେ । ପୁରୀ ଜିଲ୍ଲାର ତିନୋଟି ନଦୀରେ ୩ଟି ଘାଇ ହେବା ଫଳରେ ଜିଲ୍ଲାର ୮ଟି ବ୍ଲକ୍ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି । ବିଶେଷ ଭାବେ ବନ୍ୟାରେ ଜିଲ୍ଲାର କଣାସ, ଡେଲାଙ୍ଗ, ପିପିଲି, ନିମାପଡ଼ା, ଗୋପ ଓ ପୁରୀ ସଦର ବ୍ଲକ୍ର ଅନେକ ଗ୍ରାମ ପ୍ରଭାବିତ ହୋଇଛି । ଏପରିକି ଅନେକ ଗ୍ରାମ ଏବେ ଜଳଘେରରେ ରହିଛି । ସେମାନଙ୍କ ଲାଗି ସାହାଭରସା ପାଲଟିଛି ଡଙ୍ଗା, ଟୁ୍ୟବ୍ ଓ କଦଳୀଭେଳା ।
ଅନ୍ୟପକ୍ଷରେ ସେମାନଙ୍କ ନିକଟରେ ଖାଦ୍ୟ ଓ ପାନୀୟ ପହଞ୍ଚାଇବା ଲାଗି ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି । କଣାସ ବ୍ଲକ୍ର ୨ଟି ନଦୀରେ ଦୁଇଟି ଘାଇ ହେବା ଫଳରେ ୧୨ରୁ ଅଧିକ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇରହିଛି । ସେହିଭଳି ଡେଲାଙ୍ଗ ବ୍ଲକ୍ ଓ ପିପିଲି ବ୍ଲକ୍ରେ ମଧ୍ୟ ଅନେକ ପଞ୍ଚାୟତବାସୀ ପାଣିଘେରରେ ରହିଛନ୍ତି । କୁଶଭଦ୍ରା ନଦୀରେ ଘାଇ ହେବାରୁର ନିମାପଡ଼ା ଓ ଗୋପ ଏବଂ ସତ୍ୟବାଦୀର କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ଅନେକ ବିପନ୍ନ ଘରଦ୍ୱାର ଛାଡ଼ି ଏବେ ସ୍କୁଲ ଓ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଏହାରି ମଧ୍ୟରେ ଗାଁ ଗାଁରେ ବ୍ୟାପିଛି ଜ୍ୱର ଓ କାଶ । ସେମାନଙ୍କ ନିକଟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସଠିକ୍ ଭାବେ ପହଞ୍ଚô ପାରୁନାହାନ୍ତି । ସେମାନେ ଡଙ୍ଗା ଓ ଭେଳାରେ ନିକଟସ୍ଥ ଡାକ୍ତରଖାନାକୁ ଆସି ଔଷଧ ନେଇ ପୁଣି ସେହି ପାଣିଘେରକୁ ଫେରୁଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ନେତାମାନେ କାଁ ଭାଁ ଯାଇ କେବଳ ଚକର ମାରି ଆସୁଥିବା ବେଳେ ବାସ୍ତବ ଅସୁବିଧାକୁ ଦୂର କରିବାକୁ କାହାରି ଆନ୍ତରିକତା ନାହିଁ । ଯାହାଫଳରେ ଲୋକମାନେ ବନ୍ୟାର ଦୂଷିତ ପାଣିକୁ ବାରମ୍ବାର ଯିବାଆସିବା କରିବା ଦ୍ୱାରା ସେମାନଙ୍କ ଶରୀରରେ ଚର୍ମ ରୋଗ ଦେଖାଦେଲାଣି । ଅନେକଙ୍କ ଗୋଡ଼ରେ ମଧ୍ୟ ଫୋଟକା ହୋଇଥିବା ଦେଖିବାକୁ ମିଳିଛି । ଆଗକୁ ପ୍ରଶାସନ ଉକ୍ତ ଘଟଣା ଉପରେ ନଜର ନ ରଖିଲେ ବିପନ୍ନଙ୍କ ଦୁର୍ଦ୍ଦଶା ବନ୍ୟାଠାରୁ ଦୁଇଗୁଣା ହେବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।